ଭୁୁବନେଶ୍ୱର– ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଆଜି ବିଧାନସଭାର ପ୍ରଥମାର୍ଧ ବୈଠକ ପାଂଚ ମିନିଟରୁ କମ ଚାଲି ପାରିଥିଲା । ଏହି କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା । ଗୃହରେ ଅଚଳାବସ୍ଥାକୁ ଏଡାଇବାକୁ ବାଚସ୍ପତି ପ୍ରଥମେ ୧୦.୩୦ରୁ ୧୧.୩୦ ଯାଏ ଓ ପରେ ୧୧.୩୪ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ହଟ୍ଟଗୋଳ ବେଳେ ବାଚସ୍ପତିଙ୍କର ଇସ୍ତଫା ଦାବି କରିବା, ମାଇକ ଛଡାଇବାକୁ ଚେଷ୍ଟା କରିବା ଓ ନାରାବାଜୀ କରିବାର ଦେଖିବାକୁ ମିଳିଥିଲା । ଏପରିକି ବାଚସ୍ପତିଙ୍କୁ ମଧ୍ୟ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳରୁ କ୍ଷାନ୍ତ ରହିବାକୁ ହଟ୍ଟଗୋଳକାରୀ ବିଧାୟକ ମାନଙ୍କୁ ବାରମ୍ବାର ଅନୁରୋଧ କରୁଥିବାର ପରିଲକ୍ଷିତ ହୋଇଥିଲା । ବାଚସ୍ପତିଙ୍କୁ ସୁରକ୍ଷା କର୍ମଚାରୀ ମାନେ ନିଜ ବଳୟ ମଧ୍ୟରେ ରଖିଥିବା ଦେଖିବାକୁ ମିଳିଥିଲା ।
ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୃହର ବୈଠକ ଆରମ୍ଭ ହେବାକୁ ଗଲା ବେଳେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ପଳାଇ ଆସି ଗତକାଲି ଦେଇଥିବା ରୁଲିଂକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଅନ୍ୟ ପକ୍ଷରେ ବିଜେପିର ସଦସ୍ୟ ମାନେ ମଧ୍ୟ ଅନୁରୂପ ଭାବେ ଗୃହ ମଧ୍ୟକୁ ଚାଲି ଆସି ରୁଲିଂ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବାଚସ୍ପତି ହଟ୍ଟଗୋଳ ଦେଖି ସଙ୍ଗେ ସଙ୍ଗେ ଅର୍ଥାତ ୧୦.୩୦ ସମୟରେ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହା ପରେ ଗୃହର ବୈଠକ ପୁନର୍ବାର ୧୧.୩୦ରେ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ଦଳର ସଦସ୍ୟ ମାନେ ସେମାନଙ୍କର ଦାବିରେ ଅଟଳ ରହି ଗୃହର ମଧ୍ୟ ଭାଗକୁ ପଳାଇ ଆସିଥିଲେ । ବାଚସ୍ପତି ଏଥିରୁ ସେମାନଙ୍କୁ ନି ବୃତ ରହିବାକୁ କହିବା ସହ ନିଜ ଆସନକୁ ଯାଇ ଯାହା କହିବା କଥା କୁହନ୍ତୁ ବୋଲି କହିଥିଲେ । ମାତ୍ର ବିରୋଧୀ ବିଧାୟକ ମାନେ ଏଥି ପ୍ରତି କୌଣସି ଗୁରୁତ୍ୱ ଦେଇନ ଥିଲା । ବାଚସ୍ପତି କହିଥିଲେ ଯେ ଗୋଳନ୍ଥରା ଥାନା ମେନ୍ଦରାଜପୁର ଠାରେ ଘଟିଥିବା ବସ ଦୁର୍ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିରୋଧୀ ଦଳ ପକ୍ଷରୁ ନୋଟିସ ଦିଆ ଯାଇଛି । ତେଣୁ ସେମାନେ ନିଜ ନିଜ ଆସନକୁ ଫେରି ଯାଇ ଏଥିରେ ଆଲୋଚନାରେ ଭାଗ ନିଅନ୍ତୁ । ମାତ୍ର ବିରୋଧୀ ବିଧାୟକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନଥିଲା ଓ ସେମାନେ ନିଜର ହଟ୍ଟଗୋଳ ଜାରୀ ରଖିବାକୁ ବାଚସ୍ପତି ଗୃହକୁ ୧୧.୩୪ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।