ବାରିପଦା – ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ହାଇୱା ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ରପୁରର ରୋହିତ କୁମାର ବାରିକ । ଦୁର୍ଘଟଣା ଘଟାଇବା ପରେ ହାଇୱା ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।
ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ୭ଟା୨୫ରେ ଦାରୋଗାଡ଼ାହି ଗୋଲେଇ ନିକଟ ୧୮ ନମ୍ବର ଜାତୀୟ ରାଜପଥ ଦେଇ ୨୧ ନମ୍ବର ୱାର୍ଡ ପୂର୍ଣଚନ୍ଦ୍ରପୁର ଅଧିବାସୀ ବୈକୁଣ୍ଠ ବାରିକଙ୍କ ପୁଅ ରୋହିତ କୁମାର ବାରିକ ନିଜର (ଓଡ଼ି ୧୧ କ୍ୟୁ ୭୯୫୪ ) ନମ୍ବର ବିଶିଷ୍ଟ ହିରୋ ସ୍ପେ୍ଳଣ୍ଡର ବାଇକରେ ରାଜପଥ ପାଶ୍ୱର୍ ଗ୍ରାଣ୍ଡ ଗଳିରୁ ବାରିପଦା ସହରକୁ ଆସୁଥିଲେ । ଏହି ସମୟରେ ରାଜପଥର ଜୁବଲୀ ପେଟ୍ରୋଲ ପମ୍ପ ନିକଟରେ( ଓଡ଼ି ୧୧କ୍ୟୁ ୭୪୧୭) ନମ୍ବର ବିଶିଷ୍ଟ ହାଇୱା ସହ ସାମନା ସାମ୍ନି ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ରୋହିତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ହାଇୱା ଚାଳକ ଗାଡିକୁ ରାସ୍ତା ଉପରେ ଛାଡି ଫେରାର ହୋଇଯାଇଥିଲା ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇବା ସହ ବାଇକ ଓ ହାଇୱାକୁ ଜବତ କରିଛି । ଏହାକୁ ନେଇ ବାରିପଦା ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଏଭଳି ଦୁର୍ଘଟଣା ପାଇଁ ସ୍ଥାନୀୟ ଜନସାଧାରଣ ରାଜପଥ ନିର୍ମାଣର କଚ୍ଛପ ଗତିକୁ ଦାୟୀ କରିଛନ୍ତି ।