ଭୁବନେଶ୍ୱର- ରାଜ୍ୟରେ ବର୍ତମାନ ସୁଦ୍ଧା ୫,୯୫୦ ଜଣ ଭିକ୍ଷୁକ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ୧,୦୬୦ ଜଣ ଭିକ୍ଷୁକ ଚିହ୍ନଟ ହୋଇଥିବା ବେଳେ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ୩ ଜଣ ଭିକ୍ଷୁକ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।
ସଭ୍ୟ ସୌଭିକ୍ ବିଶ୍ୱାଳଙ୍କ ଏସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ କଟକ ଜିଲ୍ଲା ପରେ ଗଂଜାମ ଜିଲ୍ଲାର ସର୍ବାଧିକ ୫୪୫ ଜଣ ଭିକ୍ଷୁକ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଂଜ ଜିଲ୍ଲାରେ ୪୮୫, ସୁନ୍ଦରଗଡରେ ୪୨୩, ବଲାଙ୍ଗୀରରେ ୩୪୪, ପୁରୀର ୩୬୬, ଖୋର୍ଦ୍ଧାରେ ୧୯୭, ଅନୁଗୁଳରେ ୨୦୫, କୋରାପୁଟରେ ୨୪୯, ସମ୍ବଲପୁରର ୩୦୩, ସୋନପୁରରେ ୨୮୩ ଭିକ୍ଷୁକ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପୁନର୍ବାସ ବ୍ୟବସ୍ଥା କରିବାପାଇଁ ରାଜ୍ୟ ସରକାର ସହାୟ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେହିଭଳି ଚଳିତ ବର୍ଷ ପୁରୀ ଜିଲ୍ଲାରେ ଭିକ୍ଷୁକମାନଙ୍କ ପାଇଁ ୫ କୋଟି ପୁନର୍ବାସ ଗୃହର ସ୍ଥାପନ କରିବାପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ପୁନର୍ବାସ ଗୃହର ସ୍ଥାପନା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।