ବେଲଗୁଣ୍ଠା -ଗଞ୍ଜାମରେ ବିଦ୍ୟୁତ ଦୁର୍ଘଟଣା ପିଛା ଛାଡ଼ୁନି।ପୁଣି ଯମ ସାଜୁଛି ବିଦ୍ୟୁତ ତାର ।ଗଂଜାମ ଜିଲ୍ଲା ମେଣ୍ଢାରାଜପୁର ଗ୍ରାମର ବିଦ୍ୟୁତ ଦୁର୍ଘଟଣା ମନରୁ ନ ଲିଭୁଣୁ ଗତ ବୁଧବାର ଦିନ ବେଳଗୁଣ୍ଠା ବ୍ଳକ କୋକଳୁଣ୍ଡା ଗ୍ରାମର ବିଦ୍ୟୁତ ଆଘାତରେ ପୁଣି ଦୁଇ ଜଣକ ମୃତ୍ୟୁ ଘଟଣା ଏହି ଯନ୍ତ୍ରଣାକୁ ସତେଜ କରିଛି । ଲଗାତାର ଏଭଳି ଘଟଣାକୁ ନେଇ ଲୋକ ମାନଙ୍କ ମନରେ ଏକ ପ୍ରକାର ଛନକା ଦେଖିବାକୁ ମିଳୁଛି ।ଏଭଳି ଘଟଣା ପଛରେ କିଛି ସ୍ଥାନରେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଦାୟୀ ରହୁଛି ତ ଆଉ କିଛି ସ୍ଥାନରେ ସଚେତନତା ର ଅଭାବ ଦେଖିବାକୁ ମିଳୁଛି।
ବେଳଗୁଣ୍ଠା ବ୍ଳକ ର କିଛି ସ୍ଥାନରେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଖମଖିଆଳି ନୀତି ପାଇଁ ଲୋକ ମାନଙ୍କ ମୁଣ୍ଡ ଉପରେ ଯମ ବସିଥିବା ନଜରକୁ ଆସିଛି । ଏହି ବ୍ଲକ ଅନ୍ତର୍ଗତ ସୋମନାଥପଲ୍ଲୀ ଗ୍ରାମକୁ ଯିବା ପାଇଁ ଥିବା ଏକ ମାତ୍ର ସିମେଣ୍ଟ ରାସ୍ତା ରହିଛି । ରାସ୍ତା ଉପର ଦେଇ ମାଟି ଠାରୁ 10 ଫୁଟ ଉଚ୍ଚତାରେ ଯାଇଛି 33 କେଭି ତାର ।ଯାହାକି କଣ୍ଟେଇପଲ୍ଲୀ ଠାରୁ ସୋରଡ଼ା କୁ ସଂଯୋଗ ହୋଇଛି ।ନିୟମ ଅନୁସାରେ ଏହି 33 କେଭି ତାର ଭୂମି ଠାରୁ 28 ଫୁଟ ଉଚ୍ଚତା ରେ ରହିବା କଥା କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଖମଖିଆଳି ନୀତି ପାଇଁ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ।ଆଗତ ବିପଦକୁ ସନ୍ଦେହ କରି ଗ୍ରାମବାସୀ ଏହାକୁ ସଜାଡ଼ିବାକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଜଣାଇଛନ୍ତି ।ଗ୍ରାମବାସୀଙ୍କ କହିବା ପ୍ରକାରେ ଗତ 8 ଦିନ ତଳେ ଝିଅ
ଛାଡିବାକୁ ଆସିଥିବା ଏକ ଟ୍ରକ ଗାଁ ଭିତରକୁ ଏହି ରାସ୍ତା ଦେଇ ପ୍ରବେଶ କରୁଥିବା ବେଳେ ସେହି ଗ୍ରାମର ସମାଜସେବୀ ମହେଶ୍ୱର ଜେନା ଉପସ୍ଥିତ ବୁଦ୍ଧି ଖଟେଇ ଗାଡିକୁ ଅଟକେଇ ଦେଇଥିଲେ ।
ଫଳରେ ଗାଡ଼ିରେ ଥିବା 40 ରୁ 45 ଜଣ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଗାଁ ମୁହଁରେ ଯମ ଅନେଇ ବସିଥିବା ବେଳ ପ୍ରତିଦିନ ଲୋକେ ଆତଙ୍କିତ ଅବସ୍ଥାରେ ତଳପଟୁ ବାଉଁଶ ଠେସ ଦେଇ ଯିବା ଆସିବା କରୁଛନ୍ତି ।ତୁରନ୍ତ ଏହି ତାରକୁ ନ ସଜାଡ଼ିଲେ ବ୍ରହ୍ମପୁର ଫୁଲବାଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ଏହି ତାରଟି ସୋରଡା ବିଦ୍ୟୁତ ବିଭାଗ ଅଧୀନରେ ଆସୁଥିବାରୁ ସୋରଡ଼ା ବିଦ୍ୟୁତ ବିଭାଗ ଏସ୍ଡ଼ିଓ ବିମଲ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା । ଏହି ଖବର ପାଇବା ସହ ଏହାର ପୁନରୁଦ୍ଧାର କରାଯିବ ବୋଲି କହିଥିଲେ । ଏହା ସହ ଗ୍ରାମର ଅଧମ ଭୂୟାଁ ଓ ନଣ୍ଡା ମାଝୀଙ୍କ ଛାତର ଅତି ନିକଟ ଦେଇ 11 କେଭି ତାର ଯାଇଥିବାରୁ ଏହାକୁ ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି । ସେହିପରି କ୍ଷତ୍ରିୟବ୍ରପୁର ପଂଚାୟତ କାର୍ଯ୍ୟାଳୟ ପଛପଟେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଛାତର ତିନି ରୁ ଚାରି ଫୁଟ ଉଚ୍ଚତା ରେ ଯାଇଛି ଯାହାକି ବିପଦ ସଂକୁଳ । ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ବାରବାର ଏହାକୁ ସ୍ଥାନନ୍ତର କରିବାକୁ ବିଭାଗୀୟ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନଥିବା ସେ ଜଣାଇଛନ୍ତି । ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍କୁଲ ପାଚେରୀକୁ ଲାଗି ବିଦ୍ୟୁତ ଟ୍ରାନ୍ସଫୋର୍ମେର ଥିବା ବେଳେ ଏହା ମୁକୁଳା ପଡିଛି । କୁମୁଣ୍ଡି ଓ ବିଞ୍ଜିଗିରି ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ ଲାଗି ରହିଥିବା ଟ୍ରାନ୍ସଫୋର୍ମେର ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କୋକଳୁଣ୍ଡା ଗ୍ରାମରେ ଏହି ବିଦ୍ୟୁତ ଅଘଟଣ ଘଟିବା ପରେ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଲିଖିତ ଆକାରରେ ବେଳଗୁଣ୍ଠା ଫାଣ୍ଡି,ବିଦ୍ୟୁତ ବିଭାଗ ଓ ତହସିଲଦାର ଙ୍କୁ ଭେଟି ସ୍କୁଲ ଉପର ଦେଇ ଯାଇଥିବା 33 କେଭି ତାରକୁ ସ୍ଥାନାନ୍ତର କରିବାକୁ ଦାବି ଜଣାଇଛନ୍ତି ।