ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାମଗୁଡିକ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଉଦ୍ଧେଶ୍ୟମୂଳକ ଭାବେ ବିରୋଧ କରୁଥିବା ସରପଞ୍ଚ ଚୈତନ୍ୟ ପ୍ରଧାନ ଅଭିଯୋଗ କରିଛନ୍ତି। ପ୍ରତି କ୍ଷେତ୍ରରେ ସମିତି ସଭ୍ୟଙ୍କ ବିରୋଧକୁ ସେ ନାପସନ୍ଦ କରିବା ସହ ପଂଚାୟତ ଜନସାଧାରଣଙ୍କ ସମ୍ମୁଖରେ ଖୋଲା ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି। ବୁଧବାର ଦିନ ଆୟୋଜିତ ହୋଇଥିବା ସମ୍ମିଳନୀ କକ୍ଷରେ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୃହୀତ କାର୍ଯ୍ୟ ଖସଡ଼ାର ବିସ୍ତୁତ ବିବରଣୀ ସରପଞ୍ଚ ଉପସ୍ଥାପନା କରିଥିଲେ। ଜକର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ ମଞ୍ଜୁର ହୋଇଥିବା ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଗୋଷ୍ଠୀ କେନ୍ଦ୍ର ନିର୍ମାଣକୁ ସମିତି ସଭ୍ୟ ବିରୋଧ କରିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଚତୁର୍ଦ୍ଦଶ ଅର୍ଥ କମିଶନ ପାଣ୍ଠିରୁ ୬ଲକ୍ଷ ଟଙ୍କା ବ୍ୟୟରେ ଜକର ଗ୍ରାମରେ ଚାଲିଥିବା ଗ୍ରାମ୍ୟ ପ୍ରମୋଦ ଉଦ୍ୟାନ ନିର୍ମାଣ କାର୍ଯ୍ୟକୁ ସେ ବିରୋଧ କରିବାରେ ଯଥାର୍ଥତା ନଥିବା ସରପଞ୍ଚ କହିଥିଲେ। ପଞ୍ଚାୟତର ପ୍ରତେକ ବୈଠକରେ ସମିତି ସଭ୍ୟ ଉପସ୍ଥିତ ରହୁଥିଲେ ମଧ୍ୟ ଗଠନ ମୂଳକ ଆଲୋଚନାରେ ଅଂଶଗ୍ରହଣ ନ କରିଥିବା ମଧ୍ୟ ସରପଞ୍ଚ କହିଥିଲେ। ଗୋପବନ୍ଧୁ ଗ୍ରାମୀଣ ବିକାଶ ଯୋଜନାରେ ୪ଲକ୍ଷ ଟଙ୍କା ବ୍ୟୟରେ ସମିତି ସଭ୍ୟ ନିଜେ ରାସ୍ତା ନିର୍ମାଣ କରିଥିଲେ ମଧ୍ୟ ତାହା ଅତି ନିମ୍ନ ମାନର ହୋଇଥିବା କାରଣରୁ ଗ୍ରାମରେ ବିଭିନ୍ନ ଲୋକ ଅସୁବିଧାରେ ପଡିବାର ଜଣାପଡିଛି। ସେହିପରି ପଞ୍ଚାୟତ ଦାୟିତ୍ୱରେ ଥିବା କମିଷ୍ଠ ଯନ୍ତ୍ରୀ ଓ ସରପଞ୍ଚକୁ ଜାଣିଶୁଣି ମିଥ୍ୟା ତଥ୍ୟ ଆଧାରରେ ବଦନାମ କରିବା ପାଇଁ ସମିତି ସଭ୍ୟ ଯେଉଁ ଉଦ୍ୟମ କରିଛନ୍ତି, ସେଥିରେ ସେ ସଫଳ ହେବ ନାହିଁ ବୋଲି ସରପଞ୍ଚ କହିଛନ୍ତି। ସମିତି ସଭ୍ୟ କରିଥିବା ସମସ୍ତ ଅଭିଯୋଗର ଯେ କୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ମଧ୍ୟ ପ୍ରକାଶ କରିଛନ୍ତି। ସମିତି ସଭ୍ୟଙ୍କୁ ପଚାରିବାରୁ ଏହି ସବୁ କଥା ମିଥ୍ୟା ବୋଲି କହିଛନ୍ତି। ସମ୍ମିଳନୀରେ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ କୁମାର ସାହୁ, ଗାଁ ସାଥି ତ୍ରିନାଥ ପ୍ରଧାନ, ଯୋଗାଣ ସହାୟକ ବଳରାମ ପ୍ରଧାନ ଓ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ର ପ୍ରଧାନଙ୍କ ସମତେ ବହୁ ସଂଖ୍ୟକ ସଚେତନ ଜନସାଧାରଣ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।