-
ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ
ଭୁବନେଶ୍ୱର – ଗତକାଲି ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିବା ପାଇଁ ପୋଲିସ୍ ପ୍ରଶଶସନ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗତ ୨୮ ତାରିଖରେ ପାର୍କିଂକୁ ନେଇ ମୀନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅଙ୍କୁ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କ ପୁଅଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସର ପାତର ଅନ୍ତର କାର୍ଯ୍ୟକଳାପକୁ ନେଇ ମିନାକ୍ଷୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ତାଙ୍କ ପୁଅକୁ ମୁକ୍ତ ନକଲେ ସେ ଆତ୍ମାହୃତି ଦେବେ ବୋଲି କହିଥିଲେ । ଗତକାଲି ବ୍ରହ୍ମପୁର ଏସପିଙ୍କୁ ଭେଟିବାକୁ ଯିବା ସମୟରେ ଏସପି ତାଙ୍କୁ ନଭେଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ତେବେ ୫-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ । ଗତକାଲିର ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟସରକାର, ଗୃହ ବିଭଗ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ । ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଉଛି । ଅନେକ ସ୍ଥାନରେ ପୋଲିସ ଶାସକ ଦଳର ନେତାଙ୍କୁ ସୁରକ୍ଷା ଯୋଗାଇ ଚାଲିଛି । ଗତକାଲି ଘଟଣାରେ ଯେହେତୁ ବିଜେଡିର ଦୁଇଟି ଗୋଷ୍ଠୀ ଥିଲେ ଏଭଳି ଘଟଣାରେ ପୋଲିସ ପକ୍ଷପାତିତା କାହାକୁ କରିବ ବୋଧେ ଜାଣିପାରିଲା ନାହିଁ ।
ପୋଲିସ ଜନତାଙ୍କୁ ନୁହେଁ କେବଳ ନେତାଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିିଛି । ଗତକାଲି ପରିବହନ ମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିଥିବା ଯୋଗୁଁ ଜିଲ୍ଲା ପୋଲିସ ତାଙ୍କ ପାଖରେ ଉପସ୍ଥିତ ଥିଲେ । କିନ୍ତୁ ପୀଡିତାଙ୍କ କଥା ଶୁଣିଲେ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ । ଯଦି ମିନାକ୍ଷୀ ମିଶ୍ରଙ୍କର କିଛି କ୍ଷତି ହୁଏ ଏଥିପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବେ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।