ଭୁବନେଶ୍ୱର – ମୋଦି ସରକାର ଭାରତକୁ ଏକ କଟରପନ୍ଥୀ ଓ ଫାଶୀବାଦୀ ଦେଶ କରିବାକୁ ଚାହାନ୍ତି । ଭୋଟ୍ ବ୍ୟାଙ୍କ୍ ରାଜନୀତି କରି ହିନ୍ଦୁ ମୁସଲମାନ ମଧ୍ୟରେ ବିଷ ବୁଣୁଛନ୍ତି । ଅନ୍ୟପକ୍ଷରେ ତାଙ୍କ ଶାସନ କାଳରେ ଧନୀମାନେ ଅଧିକରୁ ଅଧିକ ଧନୀ ହେଉଥିବା ବେଳେ ଗରୀବ ଅଧିକ ଗରୀବ ହେଉଛି । ମୋଦି ସରକାର ପୁଂଜିପତି ମାନଙ୍କ ସରକାର ବୋଲି ସିପିଆଇଏମ୍ ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି ।
ସେହିପରି ଓଡିଶା ସରକାରଙ୍କୁ ଟୋର୍ଗେଟ୍ କରି ସେ କହିଥିଲେ ଯେ ଓଡିଶାରେ ମୁଖ୍ୟମନ୍ତ୍ରୀ ଏନପିଆର ଓ ଏନଆରସିକୁ ସମର୍ଥନ ଦେବା ନାହିଁ ବୋଲି କହିବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ସିଏଏକୁ ସମର୍ଥନ ଦେବା ଉଚିତ୍ ନୁହେଁ । ଏଗୁଡିକୁ ବାତିଲ କରାନଗଲେ ମହାନ ଭାରତ ଲୋପ ପାଇଯିବ ।
ସିଏଏ , ଏନଆରସି ଓ ଏନପିଆରକୁ ବିରୋଧ କରି ଗୁରୁବାର ସିପିଆଇଏମ୍ ରାଜ୍ୟ କମିଟି ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ଜନ ସମାବେଶ କରାଯାଇଥିଲା । ଏହି ସମାବେଶରେ ଉଦବୋଧନ ଦେଇ ୟେଚୁରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ , ଚାଷୀ ଓ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସମ୍ବିଧାନକୁ ବଂଚାଇବାକୁ ପଡିବ । ବର୍ତମାନ ଦେଶର ଆର୍ଥିକ ସ୍ଥିତି ଦୁଃସ୍ଥିତିରେ ପହଂଚିଛି । ଋଣ ଭାର ବଢି ବଢି ଚାଲିଛି । ମହିଳାମାନେ ଅସୁରକ୍ଷିତ , କଳ କାରଖାନା ବନ୍ଦ ହେବା , ଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢାଇଛି । ମୋଦି ସରକାର ତାଙ୍କୁ ପୁଂଜିପତି ବନ୍ଧୁମାନଙ୍କୁ ୨ ଲକ୍ଷ ୧୫ହଜାର କୋଟି ଟଙ୍କା ଛାଡ୍ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ , ଜନାର୍ଦ୍ଧନ ପତି, ଲକ୍ଷ୍ମଣ ମୁଣ୍ଡା, ସନ୍ତୋଷ ଦାସ, ଜଗନ୍ନାଥ ମିଶ୍ର , ସୁରେଶ ପାଣିଗ୍ରାହୀ ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ ।