ଭୁବନେଶ୍ୱର-ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ହିତାଧିକାରୀମାନେ ସେମାନଙ୍କ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅନ୍ତର୍ଗତ ସମସ୍ତ ୧୧, ୭୨୫ ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ ୬୪ ଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ କରିପାରିବେ ।
ଏତଦବ୍ୟତୀତ କୌଣସି କାରଣ ବଶତଃ ଅଦ୍ୟାବଧି ଇ-କେୱାଇସି କରି ପାରିନଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପିଡ଼ିଏସ ସାମଗ୍ରୀ ପୂର୍ବବତ ଆବଣ୍ଟିତ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ଆସନ୍ତା ଫେବୃଆରୀ ମାସ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ କିମ୍ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ଆଧାର ସଂଯୁକ୍ତ ଇ-କେୱାଇସି କରାଇ ନେବାକୁ ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
