-
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ
ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ଆଜି ଏକ ସମୀକ୍ଷା ବୈଠକ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ଅଧ୍ୟକ୍ଷତା କରିସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ମୌଳିକ ନାଗରିକ ସୁବିଧାରେ ଉନ୍ନତି ଆଣିବା ଏବଂ ରାଜ୍ୟ ସାରା ସହରାଞ୍ଚଳ ବାସିନ୍ଦାଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସହରାଞ୍ଚଳ ପ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଡ. ମହାପାତ୍ର ସମସ୍ତ ସମ୍ପୃକ୍ତ ଅଧିକାରୀ ଏବଂ ସହରାଞ୍ଚଳ ପୌରସଂସ୍ଥାଗୁଡ଼ିକୁ ସମସ୍ତ ସହରରେ ପଟ୍ହୋଲ୍ ମରାମତି କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସାରା ରାଜ୍ୟର ସହରଗୁଡ଼ିକୁ ପଟ୍ହୋଲ୍ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକୁ ସଫଳତାର ସହ ଶେଷ କରି ସଡ଼କ ସୁରକ୍ଷା ଏବଂ ସୁଗମ ଟ୍ରାଫିକ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସ୍ଥାୟୀ ଏବଂ ଉଚ୍ଚମାନର ଇଞ୍ଜିନିୟରିଂ ସମାଧାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଡ. ମହାପାତ୍ର ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ।
ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ଏବଂ ସ୍ୱଚ୍ଛ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନିରନ୍ତର କ୍ଷେତ୍ର ତଦାରଖ, କଠୋର ଗୁଣବତ୍ତା ନିୟନ୍ତ୍ରଣ ଏବଂ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ତୁରନ୍ତ ଅଭିଯୋଗ ସମାଧାନ ଏବଂ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ନୂତନ ଭାବେ ଘୋଷିତ ୨୮ଟି ଏନ୍ଏସିର ଭିତ୍ତିଭୂମିର ବିକାଶ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ସହରଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରିମଳ ବ୍ୟବସ୍ଥାକୁ ସୁଗମ କରିବା ଉପରେ ଆଲୋଚନା ହୋଇଥିଲା । ଜୈବ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ସହ ଆବଶ୍ୟକ ସ୍ଥଳେ ବର୍ଜ୍ୟ ପରିଚାଳନା ପାଇଁ ବୈଭବ କେନ୍ଦ୍ର ସୃଷ୍ଟି କରିବା ଉପରେ ମନ୍ତ୍ରୀ ଡ. ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ସମସ୍ତ ପୌରସଂସ୍ଥାରେ ମଜୁରୀଭିତ୍ତିକ ରୋଜଗାର ସୃଷ୍ଟି କରିବା ସହ ‘ସହଯୋଗ’ କାର୍ଯ୍ୟକ୍ରମର ସୁଚାରୁ ରୂପାୟନ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାଗୁଡ଼ିକର ସୁଫଳ ପ୍ରଦାନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ‘ସହଯୋଗ’ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ ସ୍ୱପ୍ନର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ମନ୍ତ୍ରୀ ଡ. ମହାପାତ୍ର ଗୁରୁତ୍ୱ ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିନୟ କୁମାର ଦାସ, ଶ୍ରୀ ଶତ୍ରୁଘ୍ନ କର, ଶ୍ରୀମତୀ ଶିଖା ବିଶ୍ୱାଳ, ଶ୍ରୀ ଶୁଭାନନ୍ଦ ମହାପାତ୍ର, ଶ୍ରୀ ସୌରୀନ୍ଦ୍ର କୁମାର ରାଉତରାୟ, ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
