ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଦିନ ଲୋକଭବନଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନୂଆବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ପୃଥକ୍ ପୃଥକ୍ ସମୟରେ ବିଶିଷ୍ଟ ଅତିଥିମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ରାଜ୍ୟପାଳ ସମସ୍ତ ଅତିଥିଙ୍କୁ ସେମାନଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହିତ ସେମାନଙ୍କର ସୁଖମୟ ଓ ସମୃଦ୍ଧି କାମନା କରିଥିଲେ।
ଏତତବ୍ୟତୀତ ଓଡ଼ିଶା ମାନବ ଅଧିକାର କମିଶନର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ ଶତ୍ରୁଘନ ପୂଜାହରୀ, ଏନସିସିର ଉପନିର୍ଦ୍ଦେଶକ କମୋଡୋର ବିକ୍ରମ ସିଂହ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ମଧ୍ୟ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ନୂଆବର୍ଷର ଶୁଭକାମନା ଜ୍ଞାପନ କରିଥିଲେ । ରାଜ୍ୟପାଳ ସମସ୍ତ ଅତିଥିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେମାନଙ୍କୁ ପ୍ରତି ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ପୂର୍ବାହ୍ନରେ ଲୋକ ଭବନର ଅଧିକାରୀ ଓ କର୍ମଚାରୀମାନେ ଅଭିଷେକ ହଲରେ ଏକତ୍ରିତ ହୋଇ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟିଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିଲେ। ରାଜ୍ୟପାଳ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ସଫଳତା ଓ ଶର୍ବକୁଶଳର ବର୍ଷ କାମନା କରିଥିଲେ।
ଏହି ଅବସରରେ ରାଜ୍ୟପାଳ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରି ରାଜ୍ୟବାସୀଙ୍କର ସୁଖ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିବା ସହ ରାଜ୍ୟର ଅଗ୍ରଗତି ପାଇଁ ସାମୂହିକ ଉଦ୍ୟମ କାମନା କରିଛନ୍ତି ।
