ଭୁବନେଶ୍ୱର : ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲ୍, ଜଳ ଶକ୍ତି ହାକାଥନ୍–୨୦୨୫ ଶୁଭାରମ୍ଭ କରି ଏହାକୁ ଦେଶ ପାଇଁ ଏକ ସୁରକ୍ଷିତ, ସମନ୍ୱିତ ଏବଂ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଜଳ ଭବିଷ୍ୟତ ନିର୍ମାଣ କରିବା ଲାଗି ଭାରତର ସାମୂହିକ ଉଦ୍ଭାବନ କ୍ଷମତାକୁ ଉପଯୋଗ କରିବାର ଲକ୍ଷ୍ୟ ରଖିଥିବା ଏକ ଜାତୀୟ ଆନ୍ଦୋଳନ ଭାବରେ ବର୍ଣ୍ଣନା କରିଛନ୍ତି।
ଜଳ ହେଉଛି ସମସ୍ତ କ୍ଷେତ୍ର ପାଇଁ ଏକ ଅପରିହାର୍ଯ୍ୟ ସମ୍ବଳ, ଏବଂ ଭାରତର ଜଳ କ୍ଷେତ୍ର “ବିକଶିତ ଭାରତ @୨୦୪୭” ଦୃଷ୍ଟିକୋଣ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ସରକାର ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ ଜଳ ସୁରକ୍ଷା କୌଣସି ଗୋଟିଏ ବିଭାଗ କିମ୍ବା ମନ୍ତ୍ରଣାଳୟର ଦାୟିତ୍ୱ ନୁହେଁ, ବରଂ ଜନସାଧାରଣଙ୍କ ଅଂଶଗ୍ରହଣ, ସାମୂହିକ ପଦକ୍ଷେପ, ନୀତି ଏବଂ ବିଜ୍ଞାନକୁ ଜଡିତ କରି ସମନ୍ୱିତ ଉଦ୍ୟମ ମାଧ୍ୟମରେ ଏହାକୁ ଦୃଢ଼ କରାଯାଇପାରିବ। “ଜଳ ଦୃଷ୍ଟିକୋଣ @୨୦୪୭”କୁ ସାକାର କରିବା ପାଇଁ, ଭାରତ ସରକାର ଦେଶର ଜଳ ସମ୍ବଳ ପରିଚାଳନାକୁ ମଜବୁତ କରିବା ନିମନ୍ତେ ନାଗରିକଙ୍କ ଠାରୁ ପ୍ରଯୁକ୍ତିଗତ ଉଦ୍ଭାବନ ଏବଂ ବ୍ୟାବହାରିକ ସମାଧାନକୁ ପ୍ରାଥମିକତା ଦେଉଛନ୍ତି। ଏହି ଦିଗରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଏକ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ପଦକ୍ଷେପ ଭାବରେ “ଜଳ ଶକ୍ତି ହାକାଥନ୍–୨୦୨୫” ଶୁଭାରମ୍ଭ କରିଛି। କାର୍ଯ୍ୟକ୍ରମର ଉଦ୍ଘାଟନ କରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲ୍ ଜଳ ଶକ୍ତି ହାକାଥନ୍–୨୦୨୫କୁ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଭାରତ ପାଇଁ ଏକ ସୁରକ୍ଷିତ, ସମନ୍ୱିତ ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଜଳ ଭବିଷ୍ୟତ ନିର୍ମାଣ କରିବା ଲାଗି ଦେଶର ସାମୂହିକ ପ୍ରତିଭାକୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ଆନ୍ଦୋଳନ ଭାବରେ ଜଣାଇଛନ୍ତି। ଏହି ହାକାଥନ୍ ଜଳ କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରି ଏହାକୁ ଏକ ଜନସ୍ୱାର୍ଥର ବିଷୟ ଭାବରେ ସ୍ଥାନିତ କରିବାକୁ ଚାହୁଁଛି। ଏହି ପଦକ୍ଷେପ ନାଗରିକ, ଗବେଷକ, ଶିଳ୍ପ ଏବଂ ଉଦ୍ଭାବକଙ୍କ ଠାରୁ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରି ଏକ ସମଗ୍ର ସରକାର ଏବଂ ସମଗ୍ର ସମାଜର ଦୃଷ୍ଟିକୋଣ (Whole-of Government and Whole-of-Society approach) ଗ୍ରହଣ କରେ। ଏହି ପଦକ୍ଷେପ ଜଳ-କ୍ଷେତ୍ର ଗବେଷଣାର ପରିସରକୁ ପାରମ୍ପରିକ ଅନୁଷ୍ଠାନ ବାହାରକୁ ବିସ୍ତାର କରେ ଏବଂ ଷ୍ଟାର୍ଟ-ଅପ୍, MSME, ଶିଳ୍ପ, ବୈଜ୍ଞାନିକ, ଶିକ୍ଷାବିତ୍, ପରୀକ୍ଷାଗାର, ଇନକୁବେଟର, ଯୁବ ଉଦ୍ଭାବକ, ଗ୍ରାମୀଣ ମହିଳା ତଥା ଯୁବକ, ବେସରକାରୀ କ୍ଷେତ୍ର, ଏବଂ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରେ। ଏହି କାର୍ଯ୍ୟକ୍ରମ ଅଧୀନରେ, ରୁର୍କୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଡ୍ରୋଲୋଜି (NIH) କୁ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (Project Implementation Agency – PIA) ଭାବରେ ନିଯୁକ୍ତ କରାଯାଇଛି। ଡ. ୱାଇ. ଆର୍. ଏସ୍. ରାଓ, ନିର୍ଦ୍ଦେଶକ, NIH, ଦେଶର ପ୍ରତ୍ୟେକ କୋଣରୁ ଯୁବକ, ଷ୍ଟାର୍ଟ-ଅପ୍, ଗବେଷକ, ଇଞ୍ଜିନିୟର, ଏବଂ ନାଗରିକ ବୈଜ୍ଞାନିକମାନଙ୍କୁ BHARAT–WIN ପୋର୍ଟାଲ୍ (https://bharatwin.mowr.gov.in) ରେ ଏକ ସରଳ ଏବଂ ଶୀଘ୍ର ଉପାୟରେ ସେମାନଙ୍କର ସୃଜନଶୀଳ, ଉଦ୍ଭାବନ-ଆଧାରିତ ପ୍ରସ୍ତାବ ଦାଖଲ କରିବାକୁ ଆହ୍ୱାନ କରିଛନ୍ତି। ଆଗ୍ରହୀ ଅଂଶଗ୍ରହଣକାରୀମାନେ ପୋର୍ଟାଲରେ ପଞ୍ଜୀକରଣ କରି ସେମାନଙ୍କର ଜଳ ସମ୍ବନ୍ଧୀୟ ଉଦ୍ଭାବନମୂଳକ ଧାରଣାକୁ ସର୍ବାଧିକ ୫୦୦ ଶବ୍ଦ ମଧ୍ୟରେ ଅପଲୋଡ୍ କରିପାରିବେ। ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ହେଉଛି ୧୪ ଜାନୁଆରୀ ୨୦୨୬। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗ୍ରହଣ କରାଯାଇଥିବା ସମସ୍ତ ପ୍ରସ୍ତାବ ଯାଞ୍ଚ କରାଯିବ। ସର୍ଟଲିଷ୍ଟ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ଅନ୍ଲାଇନ୍ ଉପସ୍ଥାପନା ପାଇଁ ନିମନ୍ତ୍ରଣ କରାଯିବ, ଏବଂ ମନୋନୀତ ହାକାଥନ୍ ବିଜେତାମାନେ ପ୍ରୁଫ୍ ଅଫ୍ କନ୍ସେପ୍ଟ (PoC) ବିକାଶ ପାଇଁ ₹ ୧ ଲକ୍ଷ ପୁରସ୍କାର ରାଶି ଗ୍ରହଣ କରିବେ, ଯେଉଁଥିରେ ନିର୍ଦ୍ଧିଷ୍ଟ ସମସ୍ୟା ବିବୃତ୍ତି, ପଦ୍ଧତି, ପ୍ରଦାନଯୋଗ୍ୟ ବିଷୟ, ଏବଂ ସମ୍ଭାବ୍ୟ ବାସ୍ତବ ଦୁନିଆ ପ୍ରୟୋଗ ଅନ୍ତର୍ଭୁକ୍ତ। ଉତ୍କୃଷ୍ଟ ପ୍ରସ୍ତାବଗୁଡ଼ିକୁ ଜଳ ଶକ୍ତି ମନ୍ତ୍ରଣାଳୟ (MoJS), ଭାରତ ସରକାରଙ୍କ ଅଧୀନରେ ଥିବା ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (DoWR, RD&GR) ର “ଜଳ କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ଜାତୀୟ ଜଳ ମିଶନର କାର୍ଯ୍ୟକାରିତା” ଯୋଜନା ଅଧୀନରେ ଅନୁଦାନ ସହାୟତା ପାଇଁ ମଧ୍ୟ ବିଚାର କରାଯିବ।
ଆଗ୍ରହୀ ବ୍ୟକ୍ତିବିଶେଷ ଏବଂ ସଂଗଠନମାନେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ସେମାନଙ୍କର ଉଦ୍ଭାବନମୂଳକ ପ୍ରସ୍ତାବ ପୋର୍ଟାଲ୍ (https://bharatwin.mowr.gov.in) ମାଧ୍ୟମରେ ଦାଖଲ କରିପାରିବେ:
ଜଳ ସମ୍ବଳ ଆକଳନ ଏବଂ ପରିଚାଳନା,ବର୍ଜ୍ୟଜଳ ପରିଶୋଧନ (Wastewater treatment),ଜଳବାୟୁ ସହନଶୀଳତା ଏବଂ ଅନୁକୂଳନ,ଜଳ ବ୍ୟବହାର ଦକ୍ଷତା ଏବଂ ବୃତ୍ତାକାର ଅର୍ଥନୀତି (circular economy),ସ୍ମାର୍ଟ ୱାଟର ଗ୍ରିଡ୍,IoT ଏବଂ ତଥ୍ୟ-ଆଧାରିତ ଭୂପୃଷ୍ଠ ଓ ଭୂତଳ ଜଳ ପରିଚାଳନା,ଦକ୍ଷ ଜଳସେଚନ, ସଠିକ୍ କୃଷି ଏବଂ ବର୍ଷାଜଳ ଅମଳ,ନଦୀ ଅବବାହିକା ଏବଂ ବନ୍ୟା ପରିଚାଳନା,ହିମନଦୀ ହ୍ରଦ ବିସ୍ଫୋରଣ ବନ୍ୟା (GLOF),ସହରୀ ଜଳବିଜ୍ଞାନ,ଜଳର ଗୁଣବତ୍ତା ଏବଂ ଆନୁଷଙ୍ଗିକ ସମସ୍ୟାଗୁଡ଼ିକ ସମ୍ପର୍କିତ ପ୍ରସ୍ତାବ ଦାଖଲ କରାଯାଇପାରିବ l
