
ବେଲଗୁଣ୍ଠା – ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରା ଠାରେ ବିଦ୍ୟୁତ ତାର ଲାଗି ବସ ଅଘଟଣ ମନରୁ ନ ଲିଭୁଣୁ ପୁଣି ବେଳଗୁଣ୍ଠା ବ୍ଲକ କୋକଳୁଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇ ଜଣକ ଜୀବନ ଯାଇଥିବା ଜଣାପଡିଛି ।ମିଳିଥିବା ଖବର ଅନୁସାରେ ବୁଧବାର ଅପରାହ୍ନ ୨ଟା ସମୟରେ କୋକଳୁଣ୍ଡା ଗ୍ରାମର ଉଲା ଜେନାଙ୍କ ପୁଅ ରାଜେଶ ଜେନା(23)ପାଇଖାନାରୁ ଶୌଚ ହୋଇ ଗାମୁଛାକୁ ଶୁଖେଇବା ସମୟରେ ପାଇଖାନା ଟିଣକୁ ଲାଗିଥିବା ଏକ ଛିଣ୍ଡା ବିଦ୍ୟୁତ ତାର ଲାଗି ଚିତ୍କାର କରିଥିଲା ।ଚିତ୍କାର ଶୁଣି ଘରେ ଥିବା ରାଜେଶ ର ଜେଜେମା ସୁଶିଳା ଜେନା(70)ରାଜେଶକୁ ବଞ୍ଚେଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ।ଏହା ଦେଖି ସାହି ବାସିନ୍ଦା ବେଳଗୁଣ୍ଠା ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ କର୍ମଚାରୀ ପହଂଚି ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ଗ୍ରାମବାସୀ ଉଭୟଙ୍କୁ ମୁର୍ମୁସ ଅବସ୍ଥାରେ ବେଳଗୁଣ୍ଠା ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ପ୍ରକାଶ ଥାଉକି ରାଜେଶର ବାପା ଉଲା ଓ ମା ଉଭୟେ ସୁରଟ ର ସୁତା କଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ରାଜେଶ ଗ୍ରାମରେ ଟ୍ୟୁସନ କରିବା ସହ ସାନ ଦୁଇ ଭାଇ ଭଉଣୀଙ୍କୁ ପାଠ ପଢାଉଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ରାଜେଶଙ୍କ ପାଖରେ ପଢ଼ୁଥିବା ବହୁ ଛାତ୍ରଛାତ୍ରୀ ମେଡିକାଲ ରେ ପହଂଚି ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ରାଜେଶ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ତାର ପରିବାରକୁ ଆର୍ଥିକ ସହାୟତା ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ପଲେଇ ଦାବି କରିଛନ୍ତି ।