-
ପୁରୀ ଘୋଷଣାନାମାର ଡ୍ରାଫ୍ଟ ପ୍ରସ୍ତୁତ
-
ଭାରତର ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବା ପାଇଁ ଚାରୋଟି ବୁଝାମଣାପତ୍ର ସ୍ୱାକ୍ଷରିତ
-
କାର୍ବନ ନିରପେକ୍ଷତା ପାଇଁ ଡିଜାଇନ୍ କରାଯାଇଥିବା ଭାରତର ପ୍ରଥମ ପ୍ରମୁଖ ଶକ୍ତି ସମ୍ମିଳନୀ ମଧ୍ୟରୁ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ ୨୦୨୫ ଅନ୍ୟତମ- ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
-
କାର୍ଯ୍ୟକ୍ରମ ସମୟରେ ସୃଷ୍ଟି ହୋଇଥିବା ସମସ୍ତ ଗ୍ରୀନହାଉସ୍-ଗ୍ୟାସ୍ ନିର୍ଗମନକୁ ରୋକିବା ପାଇଁ ନିରୀକ୍ଷିତ ସ୍ଥାନୀୟ ବନୀକରଣ ପଦକ୍ଷେପ ଗ୍ରହଣ କରାଯାଇଛି
ଓଡ଼ିଶା/ପୁରୀ– ଆନ୍ତଃରାଜ୍ୟ ସମନ୍ୱୟ ପାଇଁ ଭାରତର ପ୍ରଥମ କୋପରେସନ ଅଫ ପାର୍ଟିସ (COP)-ଶୈଳୀ ପ୍ଲାଟଫର୍ମ ଭାବରେ ଡିଜାଇନ୍ ହୋଇଥିବା, ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ,୨୦୨୫ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ (ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ) ଶ୍ରୀ କନକ ବର୍ଦ୍ଧନ ସିଂହଦେଓ; ଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ; ଏବଂ ଟୋନି ବ୍ଲେୟାର ଇନ୍ଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜର ଭାରତ ମୁଖ୍ୟ ଶ୍ରୀ ବିବେକ ଅଗ୍ରୱାଲଙ୍କ ସମେତ ପ୍ରମୁଖ ପ୍ରତିନିଧିମାନଙ୍କ ଦ୍ୱାରା ସମ୍ବୋଧିତ ଏକ ଉଚ୍ଚସ୍ତରୀୟ ସାମ୍ବାଦିକ ସମ୍ମିଳନୀ ସହ ଆଜି ସମାପ୍ତ ହୋଇଛି।
ଦୁଇ ଦିନ ଧରି, ବିଶ୍ୱ ଶକ୍ତିନେତା, ନୀତି ନିର୍ଦ୍ଧାରକ, ଶିଳ୍ପ ସିଇଓ, ବିଶ୍ୱ ବିଶେଷଜ୍ଞ ଏବଂ ଗବେଷକଙ୍କ ଏକ ବିଶିଷ୍ଟ ଗୋଷ୍ଠୀଙ୍କ ରୁଦ୍ଧଦ୍ୱାର ଆଲୋଚନା, ବିଷୟବସ୍ତୁ ସଂଶ୍ଳିଷ୍ଟ ପ୍ୟାନେଲ୍ ଆଲୋଚନା, ବୈଷୟିକ ଗଭୀର ଅନୁଧ୍ୟାନ ଓ ଜ୍ଞାନ-ଆଦାନ ସମ୍ବନ୍ଧୀୟ ଅଧିବେଶନ ଚାଲୁଥିଲା। ଅଧିବେଶନରେ କୃତ୍ରିମ ବୁଦ୍ଧିମତା-ସକ୍ଷମ ଗ୍ରୀଡ୍ ସୁରକ୍ଷା, କାର୍ବନ ମାର୍କେଟ, ଉନ୍ନତ ଆର୍ଥିକ ସହାୟତା, କ୍ଲିନ୍-ଟେକ୍ ନବସୃଜନ ଏବଂ ସଂସ୍ଥାଗତ ସଂସ୍କାର ଭଳି ସୀମାନ୍ତ ପ୍ରସଙ୍ଗଗୁଡ଼ିକରେ ଅନୁସନ୍ଧାନ କରାଯାଇଛି। ସାମୂହିକ ଭାବରେ, ଏହି ଆଲୋଚନାଗୁଡ଼ିକ ଏକ ଦୀର୍ଘକାଳୀନ, ସହଯୋଗପୂର୍ଣ୍ଣ ପ୍ଲାଟଫର୍ମ ପାଇଁ ଭିତ୍ତିଭୂମି ସ୍ଥାପନ କରିଛି ଯାହା ଭାରତର ଶକ୍ତି କ୍ଷେତ୍ରକୁ ଏକ ସ୍ୱଚ୍ଛ, ସ୍ଥିର ଏବଂ ନବସୃଜନ-ଚାଳିତ ଭବିଷ୍ୟତ ଆଡକୁ ମାର୍ଗଦର୍ଶନ କରିବ।
ନବସୃଜନ, ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ ଏବଂ ନବସୃଜନ-ଶକ୍ତି ନିୟୋଜନକୁ ଅଗ୍ରସର କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱ ଶକ୍ତି ସମ୍ମିଳନୀର ଏକ ପ୍ରମୁଖ ଅଂଶ ଅଟେ । ସାରା ଓଡ଼ିଶାରେ ଗବେଷଣା, ପାଇଲଟ୍ ପ୍ରକଳ୍ପ ଏବଂ ସ୍ୱଚ୍ଛ-ଶକ୍ତି ନିୟୋଜନକୁ ତ୍ୱରାନ୍ୱିତ କରିବା ପାଇଁ ଚାରୋଟି ରଣନୈତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଦୀର୍ଘକାଳୀନ ସହଯୋଗ, ନବସୃଜନ ଓ ପ୍ରତିଷ୍ଠାନ ନିର୍ମାଣ ପ୍ରତି ଶିଖର ସମ୍ମିଳନୀର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ସ୍ୱାକ୍ଷରିତ ହୋଇଥିବା ଚାରୋଟି ବୁଝାମଣାପତ୍ର ମଧ୍ୟରେ ରହିଛି,
୧. ନବୀକରଣୀୟ ଶକ୍ତି ପାଇଲଟ୍ ପ୍ରକଳ୍ପ ପାଇଁ- NTU ସିଙ୍ଗାପୁର, GRIDCO, ଏବଂ IIT ଭୁବନେଶ୍ୱର ମଧ୍ୟରେ
ଉନ୍ନତ ନବୀକରଣ-ଶକ୍ତି ପାଇଲଟ୍ ପ୍ରକଳ୍ପ ଏବଂ ପ୍ରୟୋଗିକ ଗବେଷଣାରେ ସହଯୋଗ କରିବା ପାଇଁ ନାନୟାଙ୍ଗ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ (NTU), ସିଙ୍ଗାପୁର, GRIDCO ଏବଂ IIT ଭୁବନେଶ୍ୱର ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
2. ଗ୍ରୀନ୍ ହାଇଡ୍ରୋଜେନ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ – GRIDCO, ReNew, IIT ଭୁବନେଶ୍ୱର, ଏବଂ Avaada
ଭାରତର ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଦିଗରେ ଏକ ପ୍ରମୁଖ ପଦକ୍ଷେପ, ଏହି ବୁଝାମଣାପତ୍ର ଅନୁଯାୟୀ ଗବେଷଣା ଏବଂ ବିକାଶ, ପ୍ରଦର୍ଶନ ଓ କ୍ଷମତା ନିର୍ମାଣକୁ ସମର୍ଥନ କରିବା ପାଇଁ ଓଡ଼ିଶାରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ।
3. ନବୀକରଣୀୟ-ଶକ୍ତି ବିକାଶ ସହଭାଗୀତା – NLC India Renewables Ltd (NIRL), OREDA, GEDCOL: ସମଗ୍ର ଓଡ଼ିଶାରେ ମିଳିତ ଭାବରେ ନବୀକରଣୀୟ-ଶକ୍ତି ପ୍ରକଳ୍ପ ବିକାଶ ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
4. ସ୍ୱଚ୍ଛ-ଶକ୍ତି ନିୟୋଜନ ଢାଞ୍ଚା – SECI, OHPC, GEDCOL, ଏବଂ OREDA: ନବୀକରଣ-ଶକ୍ତି ବିକାଶ ଏବଂ ସମନ୍ୱିତ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ସୌର ଶକ୍ତି ନିଗମ (SECI), ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (OHPC), ସବୁଜ ଶକ୍ତି ବିକାଶ ନିଗମ (GEDCOL) ଏବଂ ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା (OREDA) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଦୁଇଦିନିଆ ଅଧିବେଶନରେ ହୋଇଥିବା ବିଭିନ୍ନ ଆଲୋଚନା, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ସହିତ, ପୁରୀ ଘୋଷଣାପତ୍ରର ଏକ ଡ୍ରାଫ୍ଟ ଉପସ୍ଥାପିତ ହୋଇଥିଲା, ଯାହା ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଏକ ସ୍ଥାୟୀ, ସହଯୋଗ ଢାଞ୍ଚା ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ପୁରୀ ଘୋଷଣାନାମାର ଡ୍ରାଫ୍ଟ ରାଜ୍ୟଗୁଡ଼ିକୁ ପରାମର୍ଶ ଏବଂ ସହମତି ଗଠନ ପାଇଁ ବଣ୍ଟନ କରାଯାଇଛି, ଖୁବଶୀଘ୍ର ଚୂଡ଼ାନ୍ତ ଘୋଷଣାନାମା ପ୍ରସ୍ତୁତ କରାଯିବ। ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପରିଦର୍ଶକ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଇ ଏବଂ ଚୂଡ଼ାନ୍ତ ପୁରୀ ଘୋଷଣାନାମା ଶୀଘ୍ର ପ୍ରସ୍ତୁତ କରିବା ପାଇଁ ଆଶା ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, କାର୍ବନ ନିରପେକ୍ଷତା ପାଇଁ ଡିଜାଇନ୍ କରାଯାଇଥିବା ଭାରତର ପ୍ରଥମ ପ୍ରମୁଖ ଶକ୍ତି ସମ୍ମିଳନୀ ମଧ୍ୟରୁ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ ଅନ୍ୟତମ। GELS ଓଡ଼ିଶାରେ ପ୍ରଥମ କାର୍ଯ୍ୟକ୍ରମ ଭାବରେ ସଫଳତାର ସହ କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛି। ପୁରୀ ଘୋଷଣାନାମା ପାଇଁ ସହମତି ପ୍ରକ୍ରିୟା ଚାଲିଛି ଏବଂ ଏହା ଚୂଡ଼ାନ୍ତ ହୋଇଗଲେ, ଏହା ଏକ ସାମୂହିକ ସ୍ୱୀକାରୋକ୍ତି ହେବ ।
ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର. ସୁବ୍ରମଣ୍ୟମ୍ ଏହିଭଳି ଏକ ଶିଖର ସମ୍ମିଳନୀର ନେତୃତ୍ୱ ନେବା ପାଇଁ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଶିଖର ସମ୍ମିଳନୀକୁ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ଏକ ମଞ୍ଚ ଭାବରେ ବ୍ୟବହାର କରାଯିବା ଉଚିତ ବୋଲି ସେ କହିଥିଲେ ଏବଂ ପ୍ରତିବର୍ଷ ଏହାକୁ ଆୟୋଜନ କରିବାକୁ ଆବାହକମାନଙ୍କୁ ଆହ୍ୱାନ କରିଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ କହିଥିଲେ ଯେ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ ୨୦୨୫ ସମନ୍ୱିତ କାର୍ଯ୍ୟ ଏବଂ ସହଭାଗୀ ଢାଞ୍ଚା ପାଇଁ ରାଜ୍ୟ ଏବଂ ଅନୁଷ୍ଠାନ ମଧ୍ୟରେ ଏକ ସ୍ପଷ୍ଟ ଆଗ୍ରହ ସୃଷ୍ଟି କରିଛି । ଆହୁରି ମଧ୍ୟ କହିଛନ୍ତି ଯେ ଶିଖର ସମ୍ମିଳନୀର ଫଳାଫଳ ଆଗାମୀ ଦଶନ୍ଧିରେ ଆବଶ୍ୟକ ସାଂରଚନିକ ସଂସ୍କାର ଉପରେ ସହମତିକୁ ପ୍ରତିଫଳିତ କରିବ। ପ୍ରଫେସର ଅନୁପ ସିଂହ ଧନ୍ୟବାଦ ଅର୍ପଣ କରି କରି କହିଥିଲେ ଯେ, ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ ଏକ ପ୍ଲାଟଫର୍ମ ଭାବରେ ତାର ପ୍ରତିଶ୍ରୁତି ପୂରଣ କରିଛି ଯେଉଁଠାରେ ନେତାମାନେ କେବଳ ଚ୍ୟାଲେଞ୍ଜ ଉପରେ ଆଲୋଚନା କରନ୍ତି ନାହିଁ; ସେମାନେ ସମାଧାନ ମଧ୍ୟ ସୃଷ୍ଟି କରନ୍ତି।
GELS 2025 ମଧ୍ୟ ଏହାର ସ୍ଥାୟୀତ୍ୱ ଓ ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରି ୧୦୦ ପ୍ରତିଶତ କାର୍ବନ ନିର୍ଗମନହୀନ ସମ୍ମିଳନୀ ପାଲଟିଛି । ଏହି ସମ୍ମିଳନୀ ISO 20121 – ଇଭେଣ୍ଟ ସଷ୍ଟେନେବିଲିଟି ମ୍ୟାନେଜମେଣ୍ଟ ସିଷ୍ଟମ ଅନୁଯାୟୀ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ସମୟରେ ସୃଷ୍ଟି ହୋଇଥିବା ସମସ୍ତ ଗ୍ରୀନହାଉସ୍-ଗ୍ୟାସ୍ ନିର୍ଗମନକୁ ରୋକିବା ପାଇଁ ନିରୀକ୍ଷିତ ସ୍ଥାନୀୟ ବନୀକରଣ ପଦକ୍ଷେପ ଗ୍ରହଣ କରାଯାଇଛି ।
