-
“ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ”-ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର ,ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏସ୍.ଆଇ.ଏସ୍.ଇ.ଆର୍)ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା (ସିଆର୍ଇ) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ଶିଶୁମାନଙ୍କୁ ପ୍ରଥମରୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଦିଆଯାଇପାରିଲେ ସେମାନଙ୍କର ଭିନ୍ନକ୍ଷମତାକୁ ନିୟନ୍ତ୍ରଣ କରାଯାଇପାରିବ । ଚଳିତ ବର୍ଷର ଶୀର୍ଷକ ‘ବହୁବିଧ ଭିନ୍ନକ୍ଷମତା ପାଇଁ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ୱ’ ରହିଥିବାବେଳେ ଏହା ଆଜିର ସମୟର ପ୍ରାସଙ୍ଗିକତା ବୋଲି ମତ ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ ଯେ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ପ୍ରତିଭା ରହିଛି । ରାଜ୍ୟ ସରକାର ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ଦ୍ଵାରା ଜିଲ୍ଲା ଓ ବ୍ଲକ୍ସ୍ତରରେ ଭିନ୍ନକ୍ଷମ ପିଲାମାନଙ୍କ ଉପଚାର ପାଇଁ ଡି.ଡି.ଆର୍.ସି , ଆଇ.ଆଇ.ସି ଏବଂ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉପଚାର, ସ୍ୱତନ୍ତ୍ର ଶିକ୍ଷା ଏବଂ ଶାରୀରିକ ଓ ମାନସିକ ଯତ୍ନକୁ ଗୋଟିଏ ସମନ୍ୱିତ ବ୍ୟବସ୍ଥା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ଲକ୍ମାନଙ୍କରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସାଧାରଣ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇପାରିବେ । ଏଥି ପାଇଁ ୧୫୦୦ ଶିକ୍ଷକ ନିୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସହାୟତା ଉପକରଣ ଯୋଗାଣ, ଜୀବିକା ନିର୍ବାହ ପାଇଁ ସହାୟତା, ସଚେତନତା କାର୍ଯ୍ୟକ୍ରମ ଆଦି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏସବୁର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ନାଗରିକମାନେ ସମାଜପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଅନୁରୋଧ କରିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ଆଇ.ଏ.ଏସ ସୁଶ୍ରୀ ପାରୁଲ ପଟାୱରୀ କହିଲେ ଯେ ବିଭିନ୍ନ ପ୍ରକାର ଶାରୀରିକ ଭିନ୍ନକ୍ଷମତା ଥିବା ପିଲାମାନଙ୍କ ସହ ଅଟିଜିମ୍ରେ ପୀଡ଼ିତ ଶିଶୁମାନଙ୍କୁ ସ୍ପିଚ୍ ଥେରାପି, ଅକୁପେସନାଲ ଥେରାପି ଦିଆଯାଇ ସେମାନଙ୍କ ସାମର୍ଥ୍ୟରେ ଉନ୍ନତି ଆଣିହେବ । ଉପଯୁକ୍ତ ଶାରୀରିକ ଓ ମାନସିକ ମାର୍ଗଦର୍ଶନ ସହ ସ୍ୱତନ୍ତ୍ର ଶିକ୍ଷା ସେମାନଙ୍କୁ ଭବିଷ୍ୟତରେ ଅତ୍ମନିର୍ଭର ହୋଇ ଜୀବନଯାପନ କରିବାରେ ସମର୍ଥ କରିପାରିବ । ଏଥି ପାଇଁ ବାଲ୍ୟକାଳରୁ ଶିଶୁଟିର ଭିନ୍ନକ୍ଷମତାର ମୂଲ୍ୟାୟନ, ନିରନ୍ତର ଯୋଜନା, ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ସମନ୍ୱୟ, ପରିବାରର ଯତ୍ନର ଆବଶ୍ୟକତା ରହିଛି । ଏଥି ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି । ଶିଶୁମାନଙ୍କ ଶାରୀରିକ ଓ ମାନସିକ ଭିନ୍ନକ୍ଷମତାକୁ ଜାଣିବା ସହ ସେମାନଙ୍କୁ ପୁନର୍ବାସ କେନ୍ଦ୍ରରେ ଉପଯୁକ୍ତ ସହାୟତା ଦେବା ଉଦ୍ଦେଶ୍ୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ବ୍ୟବସ୍ଥା କରାଯାଇଛି । ସେଠାରେ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ଉପଚାର ଦିଆଯିବା ସହ ବିଭିନ୍ନ ଜାତୀୟ ସ୍ତରର ପ୍ରତିଷ୍ଠାନର ସହଯୋଗରେ ଦକ୍ଷ ମାନବସମ୍ବଳଙ୍କୁ ନିୟୋଜିତ କରାଯାଉଛି । ଅଭିଭାବକମାନଙ୍କୁ ଏ ବାବଦରେ ଶିକ୍ଷିତ କରାଯିବା ସହ ଗୋଷ୍ଠୀଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଦିନର ସି ଆର୍ ଇ ଅଧିବେଶନରେ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ
ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ରଜନୀ ଜାନି, ଡ. ସ୍ମୃତି ମହାପାତ୍ର ଓ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତ, ଉପଶାସନ ସଚିବ ଦୀପକ ରାଉତରାୟ ଓ ସୋନିଆ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ , ଏସ୍ଆଇଏସ୍ଇଆର୍ ଏବଂ ଆର ସି ଜାଆଁଳା ର କର୍ମକର୍ତ୍ତା ଓ ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ ।
