ଭୁବନେଶ୍ୱର: ବିକଶିତ ଓଡ଼ିଶାର ସ୍ବପ୍ନକୁ ଦୃଢ଼ ଭିତ୍ତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭’ ଭଳି ଏକ ବିଶେଷ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷାକୁ ଏକତ୍ରିତ କରି ତିଆରି ହୋଇଥିବା ଗୋଟିଏ ବଳିଷ୍ଠ ପ୍ରତିଫଳନ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଢ଼ିବା ହେଉଛି ଏହି ଭିଜନର ମୂଳ ଉଦ୍ଦେଶ୍ୟ। ଆଜି ମିଶନ ଶକ୍ତି ଭବନ ଭୁବନଶ୍ବରଠାରେ ଆୟୋଜିତ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ସମାଜର ସମସ୍ତ ବର୍ଗ ଛାତ୍ରଛାତ୍ରୀ, ବିଶେଷଜ୍ଞ, ଶିଳ୍ପ ସଂଗଠନ, ପ୍ରବାସୀ ଓଡ଼ିଆ ପ୍ରମୁଖ ଏହାକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଏହି ଭିଜନରେ ନାଗରିକ ମାନଙ୍କୁ ପ୍ରାଥମିକତା ଦିଆଯାଇଛି ଏବଂ ଏହାସହ ଗ୍ରାମୀଣ ସଶକ୍ତିକରଣ, ସଭିଙ୍କ ସମୃଦ୍ଧି, ଆମ ପରମ୍ପରା ଓ ଆମ ଗର୍ବ, ପଥ ପ୍ରଦର୍ଶନକାରୀ, ପ୍ରଯୁକ୍ତି ଓ ଲୋକ କୈନ୍ଦ୍ରିକ ପ୍ରଶାସନକୁ ମଧ୍ୟ ପ୍ରାଧାନ୍ୟତା ଦିଆଯାଇଛି। ଓଡ଼ିଶାକୁ ଆଗାମୀ ଦୁଇ ଦଶକ ପାଇଁ କିପରି ଆହୁରି ସବଳ, ସୁଧାର, ସମୃଦ୍ଧ ଓ ସ୍ୱାଭିମାନୀ ରାଜ୍ୟରେ ପରିଣତ କରାଯାଇପାରିବ – ତାହାର ଏକ ସ୍ପଷ୍ଟ ରୋଡମ୍ୟାପ୍ ଏହା ଦେଇଛି ବୋଲି ସେ କହିଥିଲେ ।
ମହିଳାଙ୍କ ସଶକ୍ତିକରଣ ଦିଗରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମହିଳା ନେତୃତ୍ୱାଧୀନ ଏମ୍. ଏସ୍.ଏମ୍.ଇ ବୃଦ୍ଧି, ସ୍ଵୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗଗୁଡ଼ିଙ୍କୁ ବ୍ରାଣ୍ଡିଂ ଓ ବଜାର ସଂଯୋଗ, ଉତ୍ପାଦର ବିବିଧିକରଣ, ଗୁଣବତ୍ତା ସୁଧାର ଓ ପରାମର୍ଶ—ଏସବୁ ମାଧ୍ୟମରେ ଗ୍ରାମୀଣସ୍ତରରେ ମହିଳାମାନେ ଆର୍ଥିକ ଭାବରେ ଆହୁରି ସ୍ୱାବଲମ୍ୱୀ ଓ ସଶକ୍ତ ହେବାକୁ ରାସ୍ତା ଖୋଲିବ।
ଏହି ଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ଆୟୋଜିତ କର୍ମଶାଳାରେ ସମସ୍ତ ଜିଲ୍ଲାର ବିପିସି, ବିପିମ, ଡିପିସି ଓ ଡିପିମ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା।
ବିଭାଗ ସହିତ ଅନୁବନ୍ଧିତ ସଂସ୍ଥା ଯଥା IRRI,IHM,WAASAN ଏବଂ WSCର ପ୍ରତିନିଧି ମହିଳାଙ୍କ ସଶକ୍ତିକରଣ ଦିଗରେ କରିଥିବା ବିଷୟରେ ଆଲୋଚନା ହୋଇଥିଲା।
ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ସହଭାଗୀତା ଏହି ଭିଜନକୁ ଆହୁରି ସଶକ୍ତ କରିଛି। ଆଗାମୀ ପିଢ଼ି ପାଇଁ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ନେଇ ‘ଓଡ଼ିଶା ଦୂରଦୃଷ୍ଟି (ଭିଜନ) ୨୦୩୬-୨୦୪୭’ ଆଜି ସମସ୍ତଙ୍କ ମଧ୍ୟରେ ଆଶାର ନୂତନ ଆଲୋକ ଉଜାଗର କରିଛି। ଆଗାମୀ ଦିନରେ ଏହା ହଜାର ହଜାର ମା’ମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀ ଭାବେ ଗଢ଼ି ‘ଲକ୍ଷପତି ଦିଦି’ ଓ ‘ମହା ଲକ୍ଷପତି ଦିଦି’ କରିବାରେ ପ୍ରମୁଖ ଭୂମିକା ନେବେ ।
ଏହି ଅବସରରେ ମିଶନ ଶକ୍ତି ନିର୍ଦ୍ଦେଶକା ଡଃ ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
