-
ବୀରେନ୍ ମିତ୍ର ଥିଲେ ଜନ କଲ୍ୟାଣର ନିରହଂକାର କର୍ମଯୋଗୀ ।
ଭୁବନେଶ୍ୱର,ସାଧାରଣ ଜନତା, କୃଷକ, ଶ୍ରମିକ ଓ ଅସହାୟ ମଣିଷଙ୍କର ଉତ୍ଥାନ ପାଇଁ ଯେଉଁ କେତେଜଣ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଅନ୍ୟତମ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଜନ କଲ୍ୟାଣର ନିରହଂକାର କର୍ମଯୋଗୀ ଓ ସମାଜ-ସଂସ୍କାରକ ଭାବେ ସାଧାରଣ ମଣିଷ ଓ ସମାଜର ନିମ୍ନବର୍ଗରେ ରହୁଥିବା ଲୋକମାନଙ୍କ ବିଶ୍ୱାସଭାଜନ ହୋଇ ପାରିଥିଲେ । ସେ ସରଳ ଜୀବନ, ପରୋପକାର, ଅନ୍ୟାୟର ପ୍ରତିବାଦ, ସଫଳ ସଂଗଠକ, ଜାତିଭେଦର ବିରୋଧ, ନିର୍ଭୀକତା ଇତ୍ୟାଦି ବିଶେଷଗୁଣର ଅଧିକାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ବୀରେନ୍ ମିତ୍ର ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜନଗଣର ନେତା ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ମାନବାଧିକାର କମିଶନ ସଦସ୍ୟ, ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି, ମାନ୍ୟବର ନ୍ୟାୟମୂର୍ତ୍ତି ଡ. ବି. ଆର୍. ଷଢ଼ଙ୍ଗୀ କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଥିଲେ ଜନ କଲ୍ୟାଣର ନିରହଂକାର କର୍ମଯୋଗୀ । ସେ ଥିଲେ ଜନଗଣର ନେତା ଓ ସାଧାରଣ ମଣିଷର ବନ୍ଧୁ । ତାଙ୍କ ସମୟରେ ଗଠିତ ଜନତା ଜନାର୍ଦ୍ଦନ ଦରବାର ତାଙ୍କ ଦରଦୀ ହୃଦୟର ପ୍ରମାଣ ଦିଏ । ତାଙ୍କର ସମଗ୍ର ଜୀବନକାଳ ଲୋକସେବାରେ ସମର୍ପିତ ଥିଲା। ଜଣେ ଦକ୍ଷ ଛାତ୍ରସଂଗଠକ ଭାବେ ବିଚକ୍ଷଣ ନେତୃତ୍ୱର ପରାକାଷ୍ଠା ପ୍ରତିପାଦନ କରିଥିବା ବୀରେନ୍ ମିତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟାବଳୀ ବେଶ ଉଲ୍ଲେଖଯୋଗ୍ୟ ଥିଲା । ତାଙ୍କର ଜନପ୍ରିୟତାକୁ ପ୍ରମାଣ କରି ସେ କଟକ ଆସନରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇ ପାରିଥିଲେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ବୀରେନ୍ ମିତ୍ର ସରଳ ଜୀବନ, ପରୋପକାର, ସଫଳ ସଂଗଠକ ଓ ନିର୍ଭୀକତା ପାଇଁ ତାଙ୍କୁ ଏ ଜାତି ସବୁଦିନ ପାଇଁ ମନେ ରଖିବ । ସେହିପରି ଭାରତୀୟ ସମ୍ବିଧାନକୁ “ଦେଶର ସର୍ବୋଚ୍ଚ ଆଇନ” ବୋଲି କହିବା ସହିତ ଏହାକୁ କେବଳ ଏକ ଆଇନର ପୁସ୍ତକ ଭାବେ ନୁହେଁ ବରଂ ଭାରତର ଗଣତନ୍ତ ଓ ଭାରତୀୟଙ୍କ ମୂଲ୍ୟବୋଧର ପ୍ରତୀକ ଭାବେ ଆମେ ସମସ୍ତେ ସମ୍ମାନ ଦେବା ଉଚିତ ବୋଲି ନ୍ୟାୟମୂର୍ତ୍ତି ଡ଼ ଷଡ଼ଙ୍ଗୀ ପ୍ରକାଶ କରିଥିଲେ ।
ମୁଖ୍ୟ ଵକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ
ଯୋଗଦେଇ ବୀରେନ୍ ମିତ୍ର୍ରଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ବୀରେନ୍ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଏବଂ ନିଃସ୍ୱାର୍ଥପର ଜନସେବକ ଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ ପୂର୍ବକ ଜେଲ ବରଣ କରିଥିଲେ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ୱର୍ଗତ ବୀରେନ ମିତ୍ର ନବ ଓଡ଼ିଶାର ସ୍ୱପ୍ନ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜନୀତିରେ ପାରସ୍ପରିକ ସଂପର୍କକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ । ସେ ଥିଲେ ଓଡ଼ିଶାରେ ଛାତ୍ର ସଙ୍ଘ ଗଢିବାର ପ୍ରଥମ ବ୍ୟକ୍ତି। ବୟସ ନିର୍ବିଶେଷରେ ସମସ୍ତେ ତାଙ୍କୁ ‘ଦାଦା’ ବୋଲି ଡାକିବା ଥିଲା ତାଙ୍କର ଶ୍ରେଷ୍ଠ ପରିଚୟ । ଜଣେ ହୃଦୟବାନ, ନିଃସ୍ୱାର୍ଥପର ସାମାଜସେବୀ ତଥା ନିରହଙ୍କାରୀ ମଣିଷ ଭାବେ ସେ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି. ଶ୍ରୀ କାନୁନଗୋ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ, ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରପାଠୀ ଏବଂ ପୂର୍ବତନ ବିଧାୟକ ତଥା ବୀରେନ୍ ମିତ୍ର ଫାଉଣ୍ଡେସନ୍ର ସଭାପତି ଶ୍ରୀ ପିୟଦର୍ଶୀ ମିଶ୍ର ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ବୀରେନ୍ ମିତ୍ରଙ୍କୁ ଏକାଧାରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସମାଜ ସଂସ୍କାରକ ଭାବେ ଅଭିହିତ କରିଥିଲେ । ସେ ଥିଲେ ଦରଦୀ ହୃଦୟର ବନ୍ଧୁ। ଓଡ଼ିଶାର ସହର-ମଫସଲ, ଶିକ୍ଷିତ-ଅଶିକ୍ଷିତ, ଧନି ଓ ନିର୍ଦ୍ଧନ ସବୁ ମହଲରେ ସବୁଶ୍ରେଣୀର ଲୋକ ତାଙ୍କୁ ବୟସ ନିର୍ବିଶେଷରେ ‘ଦାଦା’ ବୋଲି ଡାକିବା ଥିଲା ତାଙ୍କର ଶ୍ରେଷ୍ଠ ପରିଚୟ ବୋଲି ପ୍ରକାଶ କରିଥିଲେ । ଆଜି ସମ୍ବିଧାନ ଦିବସ ଅବସରରେ ସେମାନଙ୍କ ବକ୍ତବ୍ୟରେ ସମ୍ବିଧାନ କେବଳ ଆଇନ ନୁହେଁ ଆମ ଜୀବନ ଶୈଳୀ ବୋଲି କହିବା ସହ ପ୍ରସ୍ତାବନାରେ ନ୍ୟାୟ, ସ୍ୱାଧୀନତା, ସମତା ଓ ଭ୍ରାତୃତ୍ୱ ଆମର ମୂଲ୍ୟ ବୋଧ ବୋଲି ଭାବିବା ଦରକାର । ଭାରତୀୟ ସମ୍ବିଧାନ କେବଳ ଏକ ଲିଖୂତ ଆଇନ ନୁହେଁ ବରଂ ଏହା ଏକ ଜୀବନ୍ତ ଦଲିଲ, ଯାହା ସମୟ ଓ ପରିସ୍ଥିତି ଅନୁଯାୟୀ ଅନୁକୂଳିତ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରି ବିରେନ ମିତ୍ରଙ୍କ ବ୍ୟକ୍ତିଗତ ଜୀବନରେ ସରଳତା, ତ୍ୟାଗ, ସେବା, ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଭୀକତା ଏବଂ ଛାତ୍ରବତ୍ସଳତା ନିମନ୍ତେ ସେ ଆମ ମାନଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ଅବସରରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ତଥା କୃତୀ ବ୍ୟକ୍ତିତ୍ୱଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରା ଯାଇଥିଲା । ବୀରେନ ମିତ୍ର ଫାଉଣ୍ଡେସନ୍ ର ସଂପାଦକ ଶ୍ରୀଯୁକ୍ତ ଅମିତ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
