-
ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ଆତ୍ମନିର୍ଭରତାର ପ୍ରତିଛବି ପ୍ରଦର୍ଶିତ କରୁଛନ୍ତି ଓର୍ ମାସ୍ ଏବଂ ମିଶନ ଶକ୍ତି
-
୯ ଦିନ ମଧ୍ୟରେ ବିକ୍ରୟ କରିଛନ୍ତି ୧୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ
-
ରାଜ୍ୟ ଓ ଦେଶସମୂହର ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡିକ ସହିତ ସଫଳ ବାଣିଜ୍ୟିକ ବାର୍ତ୍ତାଳାପ
ନୂଆଦିଲ୍ଲୀ/ଭୁବନେଶ୍ଵର – ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଓଡ଼ିଶା ପାଭିଲିୟନରେ ଓଡ଼ିଶା ସରକାରଙ୍କ ତରଫରୁ ଅଂଶଗ୍ରହଣ କରିଥିବା ମିଶନ୍ ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍ ମାସ୍), ବିଶ୍ଵ ସମ୍ମୁଖରେ ଆତ୍ମନିର୍ଭର ଭାରତର ପ୍ରତିଛବିକୁ ପ୍ରଦର୍ଶିତ କରୁଛି ।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିୟନରେ ଓର୍ ମାସ୍ ର ୬ ଟି ଷ୍ଟଲ୍ ଏବଂ ମିଶନ୍ ଶକ୍ତିର ୪ ଟି ଷ୍ଟଲରେ ଗ୍ରାମୀଣ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କରାଯାଉଥିବା ବେଳେ, ଲାଇଭ୍ ଡେମୋ ପ୍ଲାଟ୍ ଫର୍ମ ଉପରେ ସେସବୁର ପ୍ରସ୍ତୁତି କଳା ପ୍ରଦର୍ଶିତ ହେଉଛି ।
ଓର୍ ମାସ୍ ର ୬ ଟି ଷ୍ଟଲ୍ ରେ ରାୟଗଡ଼ରୁ ଆସଥିବା ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀର ଲାଉ ତୁମ୍ବାରୁ ପ୍ରସ୍ତୁତ ନିତ୍ୟ ବ୍ୟବହାର୍ଯ୍ୟ ଓ ଗୃହ ସାଜସଜ୍ଜା ସାମଗ୍ରୀ, ଢେଙ୍କାନାଳରୁ ଆସିଥିବା ଜୟ ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀର ଡୋକ୍ରା ହସ୍ତକଳାକୃତି, ବାଲେଶ୍ଵରରୁ ଆସିଥିବା ନୀଳଗିରି ଲାଖ ଉତ୍ପାଦକ ସଂଘର ମହିଳାମାନଙ୍କ ଆଭୂଷଣ, ନୟାଗଡ଼ରୁ ଆସିଥିବା କ୍ରୀଷ୍ଣା ଛେନାପୋଡ଼ର ଓଡିଆ ପାରମ୍ପାରିକ ପିଠା ଓ ଛେନାପୋଡ଼, ଯାଜପୁର ଜିଲ୍ଲାରୁ ଆସିଥିବା ଗୋପାଳପୁର ଟସର ହସ୍ତତନ୍ତ ଉତ୍ପାଦନ ଏଣ୍ଟରପ୍ରାଇଜ୍ ର ପୁରୁଷ ଓ ମହିଳା ମାନଙ୍କ ହସ୍ତତନ୍ତ ବସ୍ତ୍ର ଏବଂ ପୁରୀରୁ ଆସିଥିବା ଉତ୍କଳ କଏର୍ ର ନଡ଼ିଆ କତାରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ଖେଳଣା ମିଳୁଛି ।
ସେହିପରି, ମିଶନ୍ ଶକ୍ତିର ୪ ଟି ଷ୍ଟଲରେ ପୁରୀ ରଘୁରାଜପୁରରୁ ଆସିଥିବା ମା’ ଭୁଆଶୁଣୀ ସ୍ଵୟଂ ସହାୟକ ଗୋଷ୍ଠୀର ପଟ୍ଟଚିତ୍ର, କେନ୍ଦ୍ରାପଡ଼ାରୁ ଆସିଥିବା ଶିବ ପାର୍ବତୀ ଗୋଲ୍ଡେନ ଗ୍ରାସ୍ ର କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ନବରଙ୍ଗପୁରରୁ ଆସିଥିବା ଧନଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ଧାନରୁ ପ୍ରସ୍ତୁତି କଳାକୃତି ଏବଂ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ଶ୍ରୀ ଜଗନ୍ନାଥ ସ୍ଵୟଂ ସହାୟକ ଗୋଷ୍ଠୀର ପେପର୍ ମାକ୍ କଳାକୃତି ଉପଲବ୍ଧ ହେଉଛି ।
୧୪ ରୁ ୨୨ ତାରିଖ ମଧ୍ୟରେ ଓଡ଼ିଶା ପାଭିଲିୟନରେ ଓର୍ ମାସ୍ ଷ୍ଟଲ୍ ଗୁଡିକ ସାତ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ବେଳେ, ମିଶନ୍ ଶକ୍ତିର ଷ୍ଟଲ୍ ଗୁଡିକ ପ୍ରାୟ ଛଅ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ତୁମ୍ବା ହସ୍ତଶିଳ୍ପ ସାମଗ୍ରୀ ସମ୍ଭାରକୁ ନେଇ ଓର୍ ମାସ୍ ଓ ମିଶନ ଶକ୍ତି ଷ୍ଟଲ୍ ଗୁଡିକ ରାଜ୍ୟ ଓ ଦେଶସମୂହ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି । ତୁମ୍ବା ହସ୍ତକଳାକୃତିକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡ଼ାର ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀ ଇତିମଧ୍ୟରେ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡ଼କ୍ଟ ସହିତ ବାଣିଜ୍ୟିକ ବାର୍ତ୍ତାଳାପ କରିଥିବା ବେଳେ, ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସମେତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ପ୍ରଦର୍ଶିତ ସାମଗ୍ରୀ ଗୁଡିକର ଉତ୍ପାଦନ ଓ ବିପଣନ ସମ୍ପର୍କରେ ଷ୍ଟଲ୍ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।
