ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପତ୍ନୀର ପ୍ରେମିକକୁ ଜଣେ ବ୍ୟକ୍ତି କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ବିଶ୍ୱମ୍ବର ବେହେରା ଥାନାରେ ଆତ୍ମସମର୍ପଣ କରିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ତାଙ୍କ ଘର ସେହି ଥାନା ଅନ୍ତର୍ଗତ ମାଙ୍କିଡ଼ିଆ ଅଂଚଳରେ ବୋଲି ଜଣାପଡିଛି ।
ଜଳେଶ୍ୱର ଏସଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବିଶ୍ୱମ୍ବର ସ୍ତ୍ରୀର ପ୍ରେମିକଙ୍କୁ ନିଜ ଘରେ ଶୋଇଥିବାର ଦେଖି ଉତ୍ୟକ୍ତ ହୋଇଉଠିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଶୋଇଥିବା ବେଳେ ବିଶ୍ୱମ୍ବର ଏକ କୁରାଢ଼ୀ ଆଣି ତାଙ୍କୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।