ବାରିପଦା- ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ଜିଲ୍ଲାରେ ଜାତୀୟ କୁଷ୍ଠ ନିରାକରଣ ଚିହ୍ନଟ ଚଳିତ ଫେବୃଆରୀ ୧୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଉଅଛି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଞ୍ଜ ଡା. ରୂପଭାନୁ ମିଶ୍ର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ମୟୂରଭଞ୍ଜ ଡା. ଜ୍ଞାନେନ୍ଦ୍ର କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସଂପୃକ୍ତ ଲାଇନ ବିଭାଗ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପ୍ରସ୍ତୁତି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ଫେବୃୟାରୀ ୧୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଅଂଚଳ ଓ ପୌରାଚଂଳ/ବିଜ୍ଞାପିତ ଅଂଚଳର ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ଘରକୁ ଘର ବୁଲି କୁଷ୍ଠ ରୋଗର ପ୍ରାରମ୍ଭିକ ଲକ୍ଷଣ ଆଧରରେ ବ୍ୟକ୍ତି ଚିହ୍ନଟ କରାଯିବା ସହ ଏ ଦିଗରେ ବ୍ୟାନର ପ୍ରଚାର ପତ୍ର ଓ ଡାକବାଜି ଯନ୍ତ୍ର ଜରିଆରେ କୁଷ୍ଠ ରୋଗର ନୂତନ ଚିକିତ୍ସା ସେବା ବ୍ୟବସ୍ଥା ସଂପର୍କରେ ସଚେତନତା ସୃଷ୍ଟି କରାଯିବ । ନୂତନ ଭାବେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇ ସଂପୂର୍ଣ୍ଣ ମାଗଣାରେ ଏମଡିଟି ଔଷଧ ନିୟମିତ ସେବନ କରିବା ପାଇଁ ବିଭାଗ ପକ୍ଷରୁ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ।
ଉକ୍ତ ସ୍ୱତନ୍ତ୍ର ଚିହ୍ନଟ ଅଭିଯାନରେ ଜିଲ୍ଲାର ଶିକ୍ଷା ବିଭାଗ, ଜିଲ୍ଲା ସମାଜ କଲ୍ୟାଣ, ଜିଲ୍ଲା ସମାଜିକ ସୁରକ୍ଷା, ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀଙ୍କ ସମ୍ମିଳିତ ସହଯୋଗରେ ସମସ୍ତ ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଟିମ୍ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ସାମିଲ ହୋଇ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବା ପାଇଁ ନିଷ୍ପତି ନିଆଯାଇଅଛି ।
ସୂଚନା ଯୋଗ୍ୟ ଯେ, ଜାତୀୟ କୁଷ୍ଠ ନିରାକରଣ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ନିୟମିତ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ୨୦୧୯-୨୦ ଜାନୁଆରୀ ମାସ ସୁଦ୍ଧା ୪୮୧ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ରୋଗ ସଂପୂର୍ଣ୍ଣ ନିରାକରଣ ପାଇଁ ବ୍ୟାପକ ସଚେତନତା କରାଯିବା ସହ ଆରମ୍ଭରୁ ଚିକିତ୍ସା କାରାଯିବା ଦିଗରେ ଗୁରୁତ୍ୱ ଦେଇ ମୟୂରଭଞ୍ଜ ଜିଲ୍ଲାରେ ଉକ୍ତ ନିର୍ଦ୍ଧାରିତ ତାରିଖରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଚିହ୍ନଟ କରାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।