ଭୁବନେଶ୍ୱର – ଚଳିତ ବର୍ଷ ବିମସଟେକ୍ ର ଫୋକସ୍ ଏøତିହାସିକ ସ୍ଥଳ ଉପରେ ରହିଛି । ଏଥିପାଇଁ ଓଡିଶାକୁ ବଛାଯାଇଛି । ଓଡିଶାରେ ରହିଥିବା ସ୍ୱର୍ଣ୍ଣ ତ୍ରିଭୂଜ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ବିମସଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ଉଦଘାଟନ ପରେ ଟେବୁଲ ଟପ୍ ଅଭ୍ୟାସ୍ କରାଯାଇଛି । ଆସନ୍ତାକାଲି କ୍ଷେତ୍ରୀୟ ଅଭ୍ୟାସ କରାଯିବ । ଏଥିପାଇଁ ରାମଚଣ୍ଡୀ ଠାରେ ଏକ ହେରିଟେଜ୍ ଭିଲେଜ୍ ର ନିର୍ମାଣ କରାଯାଇଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ସମ୍ବଲପୁରର ବୁର୍ଲା ଠାରେ ଏନଡିଆରଏଫ୍ ର ଟେମ୍ପୋରାରି ଟାକ୍ଟିକାଲ ଲୋକେସନ୍ (ଟିଟିଏଲ) ପ୍ରତିଷ୍ଠା ନେଇ ମିଳିଥିବା ପ୍ରସ୍ତାବ ଉପରେ ଆମ ଟିମ୍ ଅନୁଧ୍ୟାନ କରି ସାରିଛି । ରିପୋର୍ଟ ପଜିଟିଭ୍ ରହିଛି । ସମସ୍ତ ପ୍ରକ୍ରିୟା ପରେ ଏହା ନିର୍ଣ୍ଣୟ କରାଯିବ । ମାସେ ଦୁଇ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡିଶାରେ ଏନଡିଆରଏଫ୍ ସଶକ୍ତ ହେବ । ସେହିପରି ଦକ୍ଷିଣ ଓଡିଶା ପାଇଁ ମିଳିଥିବା ସ୍ଥାନ ଉପରେ ଅନୁଧ୍ୟାନ କରାଯାଉଛି । ବର୍ତମାନ କଟକର ମୁଣ୍ଡଳୀ ଠାରେ ଏନଡିଆରଏଫ୍ ବାଟାଲିଅନ୍ ରହିଥିବା ବେଳେ ବାଲେଶ୍ୱରରେ ଆରଆରସି ରହିଛି । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସେବା ପହଂଚାଇବା ପାଇଁ ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି ।