ଭୁବନେଶ୍ୱର– ନୂଆପଡା ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକଙ୍କ ବେଇମାନ ମନ୍ତବ୍ୟକୁ କଡା କାଉଂଟର କରିଛି ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସାମାଜିକ ଗଣମାଧ୍ୟମରେ ନବୀନଙ୍କୁ ବେଇମାନ କିଏ ବୋଲି ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ କାଳ ବହୁତ ସମର୍ଥନ, ଆଶୀର୍ବାଦ, ଭରସା କରିଲେ। କିନ୍ତୁ ପ୍ରତିବଦଳରେ ପାଇଲେ କଣ? ଆପଣ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ଆପଣଙ୍କୁ ଭେଟିପାରିଲେ ନାହିଁ । ଓଡ଼ିଆ ଭାଷା ଆପଣ ଶିଖିଲେ ନାହିଁ । ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କରିଲେ । ଏହା ଓଡ଼ିଆ ଲୋକଙ୍କ ପ୍ରତି ବେଇମାନ ନୁହେଁ କି?
ଓଡିଶାର ଲୋକେ ନିରଙ୍କୁଶ ଏବଂ କ୍ରମାଗତ କ୍ଷମତା ନବୀନ ବାବୁଙ୍କୁ ଦେଇଥିଲେ ଯେଉଁ ଅବସର ଆଜି ପର୍ଯ୍ୟନ୍ତ ଆଉ କାହାକୁ ମିଳିନାହିଁ। ୨୪ ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲା ନାହିଁ, ମହାନଦୀରେ ଗୋଟେ ବି ବନ୍ଧ ହୋଇପାରିଲା ନାହିଁ, ସବୁ କୃଷି ଭିତିକ ଶିଳ୍ପ ବନ୍ଦ ହୋଇଗଲା, ଓଡ଼ିଆ ବ୍ୟବସାୟୀ ମରିଗଲେ। ଏହା ବେଇମାନର ପରିଭାଷାରେ ଆସିବ କି ନାହିଁ? ନୂଆପଡାର ବିଜେଡି ବିଧାୟକଙ୍କର ଦେହାନ୍ତ ହେଲା । ଆପଣଙ୍କ ଦଳ ପାଇଁ ବହୁତ କିଛି କରିଥିଲେ ସେ। କିନ୍ତୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆପଣ ଗଲେ ନାହିଁ । ଓଲଟା ଆପଣଙ୍କ ଦଳର ନେତା ମାନେ ତାଙ୍କ ପରିବାର ପ୍ରତି ଅପଶବ୍ଦ ବ୍ୟବହାର କରିଲେ କିନ୍ତୁ ଆପଣ ଚୁପ ରହିଲେ। ଏହା କଣ ବେଇମାନି ନୁହେଁ କି?
ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଯେମିତି ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି ଆପଣ ଯାହା କରିଥିଲେ ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ? ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।
