- 
ରାଜ୍ୟ ବାହାର ମହିଳା ଉଦ୍ୟୋଗୀମାନଙ୍କ ଉତ୍ପାଦ ଅପୂର୍ବ ଚାହିଦା
 
ଭୁବନେଶ୍ୱର-ଓଡ଼ିଶାର ନାରୀ ଉଦ୍ୟୋଗୀତାର ପରିଚୟ “ସୁଭଦ୍ରା ଶକ୍ତି ମେଳା ୨୦୨୫” ଏବେ ଜାତୀୟସ୍ତରର ରୂପ ନେଇଛି। ଓଡ଼ିଶା ସହିତ ଏହି ବର୍ଷ ମେଳାରେ ଅନ୍ୟ ୯ ଟି ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆସାମର ମହିଳା ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ନିଜ ଉତ୍ପାଦ ଓ ହସ୍ତଶିଳ୍ପ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସଂସ୍କୃତି, କଳା ଓ ହସ୍ତଶିଳ୍ପରେ ସଜେଇ ହୋଇ ପ୍ରଦର୍ଶନୀ ପଡ଼ିଆ ଏକ ମିନି ଇଣ୍ଡିଆର ଅନୁଭୂତି ପ୍ରଦାନ କରୁଛି।
ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ଉତ୍ପାଦ ପାଇଁ ବିପୁଳ ଜନସମାଗମ ହେଉଥିବାବେଳେ ରାଜ୍ୟ ବାହାର ଷ୍ଟଲଗୁଡ଼ିକରେ ଦର୍ଶକ ଓ ଗ୍ରାହକମାନଙ୍କ ଅପୂର୍ବ ଭିଡ଼ ଦେଖିବାକୁ ମିଳୁଛି । ରାଜ୍ୟ ବାହାର ଉତ୍ପାଦକୁ ବେଶ ପସନ୍ଦ କରୁଛନ୍ତି ରାଜଧାନୀବାସୀ । ମେଳାର ତୃତୀୟ ଦିବସରେ ପ୍ରତ୍ୟେକ ରାଜ୍ୟର ଷ୍ଟଲ ନିଜର ପାରମ୍ପରିକ ଓ ସ୍ଵତନ୍ତ୍ର ଉତ୍ପାଦ ଦ୍ୱାରା ମେଳାର ଆକର୍ଷଣ ହୋଇଛି।
ପଞ୍ଜାବର ଫୁଲକାରୀ ବସ୍ତ୍ର, ଝାଡ଼ଖଣ୍ଡର ଟସର ସିଲ୍କ ଶାଢ଼ୀ ଓ ଘର ସାଜସଜ୍ଜା ପାଇଁ ଫୁଲଦାନୀ, ତେଲେଙ୍ଗାନାର ଇକତ୍, ଆସାମର ବିଶ୍ୱପ୍ରସିଦ୍ଧ ଏରି ରେଶମ, ଛତିଶଗଡ଼ର ମଲବେରୀ ସିଲ୍କ ଓ ଜମଦାରୀ ଶାଢ଼ୀ, ଗୁଜରାଟର ଖଦୀ କଟନ, ମଧ୍ୟପ୍ରଦେଶର ଚନ୍ଦେରୀ କଟନ ଓ ଜରି ୱର୍କ ଶାଢ଼ୀ ଏବଂ ପଶ୍ଚିମ ବଙ୍ଗରର ଡିଜାଇନର ବ୍ଲାଉଜ୍, ବାଟିକ ଶାଢ଼ୀ ଓ ଟେରାକୋଟା କାନଫୁଲ ଲୋକଙ୍କୁ ଆକର୍ଷିତ କରୁଛି। ମେଳାରେ ରାଜ୍ୟ ବାହାରର ଷ୍ଟଲଗୁଡ଼ିକ ଦର୍ଶକ ଓ ଗ୍ରାହକଙ୍କ ମନକୁ ଜିତୁଛି। ତୃତୀୟ ଦିନ ଶେଷ ସୁଦ୍ଧା ୧.୦୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା I
ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଉତ୍ସବମୟ ଓ ଆକର୍ଷଣୀୟ କରୁଛି। ହର ଗୌରୀ ରଣପା ନୃତ୍ୟ ପରିଷଦ ଦ୍ଵାର ପାରମ୍ପରିକ ରଣପା ନୃତ୍ୟ, ଯୋଡ଼ି ଶଶଙ୍ଖ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ଓ ଦଳଙ୍କ ଦ୍ଵାରା ପ୍ରଦର୍ଶିତ ସଙ୍ଗୀତ ଦର୍ଶକଙ୍କ ମେଳା ଦେଖାକୁ ଅଧିକ ରଙ୍ଗୀନ କରିଛି।
