-
ଆଜି ସୁଦ୍ଧା ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
-
ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ
ଭୁବନେଶ୍ୱର | ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭାର ସାଧାରଣ ନିର୍ବାଚନ, ୨୦୨୫ ଏବଂ ଦେଶର ୮ ନିର୍ବାଚନ ମଣ୍ଡଳୀ ପାଇଁ ଉପ-ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଆଦର୍ଶ ଆଚରଣ ବିଧି (MCC) ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ କରିବାକୁ ଆୟୋଗ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ C-VIGIL ରେ ରିପୋର୍ଟ ହୋଇଥିବା ଅଭିଯୋଗଗୁଡ଼ିକର ୧୦୦ ମିନିଟ୍ ମଧ୍ୟରେ ସମାଧାନ ନିଶ୍ଚିତ କରିବା ପାଇଁ ସମଗ୍ର ବିହାରରେ ୮୨୪ଟି ଫ୍ଲାଇଂ ସ୍କ୍ବାଡ୍ ନିୟୋଜିତ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ୩ ନଭେମ୍ବର, ୨୦୨୫ ଅର୍ଥାତ ଆଜି ସୁଦ୍ଧା, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ଏଜେନ୍ସିମାନଙ୍କ ସମନ୍ୱୟରେ ୯.୬୨ କୋଟି ଟଙ୍କା ନଗଦ, ୪୨.୧୪ କୋଟି ଟଙ୍କା (୯.୬ ଲକ୍ଷ ଲିଟର) ମୂଲ୍ୟର ମଦ, ୨୪.୬୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ, ୫.୮ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜିନିଷ ଏବଂ ୨୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ମାଗଣା ସାମଗ୍ରୀ ସମେତ ମୋଟାମୋଟି ୧୦୮.୧୯ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅବୈଧ ପ୍ରଲୋଭନକାରି ଦ୍ରବ୍ୟ ଜବତ କରାଯାଇଛି ।
ନିର୍ବାଚନ ସମୟରେ ନଗଦ ଟଙ୍କା, ନିଶାଦ୍ରବ୍ୟ, ଏବଂ ଅନ୍ୟାନ୍ୟ ପ୍ରଲୋଭନକାରି ସାମଗ୍ରୀର ଗତିବିଧି ଓ ଦେଣନେଣ ଉପରେ କଡ଼ା ନଜର ରଖିବା ତା ସହ ସ୍ୱଚ୍ଛ, ଅବାଧ ଓ ନିରପକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆୟୋଗ ସମସ୍ତ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଯାଞ୍ଚ ସମୟରେ ସାଧାରଣ ନାଗରିକମାନେ ଯେପରି କୌଣସି ଅସୁବିଧା କିମ୍ବା ହଇରାଣରେ ସମ୍ମୁଖୀନ ନ ହୁଅନ୍ତି ସେ ନେଇ ବିଶେଷ ଯତ୍ନବାନ ହେବେ । ନାଗରିକ/ରାଜନୈତିକ ଦଳଗୁଡ଼ିକ ଇ.ସି.ଆଇ.ନେଟ ରେ C-Vigil ଆପ୍ ବ୍ୟବହାର କରି ଆଦର୍ଶ ଆଚରଣ ବିଧି (MCC) ଉଲ୍ଲଂଘନ ରିପୋର୍ଟ ଦାଖଲ କରିପାରିବେ। ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଦାଖଲ ପାଇଁ ଏକ ସ୍ୱତନ୍ତ୍ର କଲ ନମ୍ବର – ୧୯୫୦ର ବ୍ୟବସ୍ଥା ଆୟୋଗ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣ କିମ୍ବା ରାଜନୈତିକ ଦଳର ସଦସ୍ୟ, ସମ୍ପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)/ROଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥା ୨୪ ଘଣ୍ଟା କାର୍ଯ୍ୟକ୍ଷମ ଅଟେ ।
ଅଦ୍ୟାବଧି ନୂଆପଡା ଅଞ୍ଚଳରୁ ୬୯ଲିଟର ବିଅର୍,୩୮ଲିଟର ବିଦେଶୀ ମଦ, ୫୭୯୫ ଲିଟର ହାତ ରନ୍ଧା ମଦ,୧୨୦୭ ଲିଟର ବାହାର ଭାଟି ମଦ,୬୦ କେଜି ଗଞ୍ଜେଇ ଏବଂ ୧,୩୬,୭୦୦ କେଜି ମହୁଲ ପାଉଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୯୮ ଲକ୍ଷ ୬ ହଜାର ୫୯୨ ଟଙ୍କା ହେବ । ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।
