ଭୁବନେଶ୍ବର, ଆଜି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର(World Skill Centre) ଓ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଠାରେ ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଭୁବନେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ନିୟତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ହେବାକୁ ପ୍ରେରିତ କରିଥିଲେ ।
ଏହି ଉଦଯାପନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ବିଶ୍ବ ଦକ୍ଷତା କେନ୍ଦ୍ର(World Skill Centre) ର COO ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଶ୍ରୀ ଟି ଥାମ୍ବୀରାଜା ଓ ଉପନିର୍ଦେଶକ ସୁଶ୍ରୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ କ୍ଷେତ୍ରରେ ଭବିଷ୍ୟତ ଗଠନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ ଓ ପରିଶେଷରେ ସେମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା।
ସେହିପରି ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଠାରେ ଉଦଯାପନୀ ଉତ୍ସବରେ ଶ୍ରୀ ଉପନିର୍ଦେଶକ ଶ୍ରୀ ମଧୁସୂଦନ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ, ଗତକାଲି ତା୩୧.୧୦.୨୦୨୫ରିଖ ଦିନ ସେଞ୍ଚୁରିଆନ୍ ୟୁନିଭର୍ସିଟିଠାରେ SPEFL ଟ୍ରେଡ୍ କୁ ନେଇ ଚାଲିଥିବା ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ CUTM ଉପକୂଳପତି ପ୍ରଫେସର ଡାଃ ସୁପ୍ରିୟା ପଟ୍ଟନୟକ, ପ୍ରୋ ଭି ସି ଶ୍ରୀ ଅଜୟ ନାୟକ,ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ଓ ଉପନିର୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
