ଭୁବନେଶ୍ଵର: ଆଜି ମିଳିତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଓଡ଼ିଶାରେ କ୍ରନିକ କିଡିନୀ ରୋଗ (Chronic Kidney Disease – CKD) ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ବନ୍ଧୀୟ ସ୍ଥିତି ବିଶ୍ଳେଷଣ ଏବଂ ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା ଆୟୁକ୍ତ ଅଶ୍ଵଥୀ ଏସ. ଙ୍କ ଅଧ୍ୟକ୍ଷତାରେ ଟେକନିକାଲ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ପାଇଁ ରୋଡମ୍ୟାପ୍, ରୋଗୀ ଙ୍କ ଅସୁବିଧା ର ସମାଧାନ ଆଦି ବିଷୟରେ ଆଲୋଚନା ହୋଇଥିଲା ।
ସଭାରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବିଶେଷଜ୍ଞ ଡାକ୍ତର ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ । ସଭାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ CKDର ବୃଦ୍ଧି ହାର, ପାଣି ଓ ପରିବେଶ ଗୁଣବତ୍ତା, ରୋଗ ନିରୀକ୍ଷଣ ଅବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ସଭାରେ ରାଜ୍ୟସ୍ତରୀୟ CKD ସର୍ଭିଲାନ୍ସ ସିଷ୍ଟମ ଗଠନ, ଜନ ଜାଗୃତି ଓ ସ୍କ୍ରିନିଂ କ୍ୟାମ୍ପ , ପଞ୍ଜୀକରଣ , ବିଶେଷଜ୍ଞ ମାନଙ୍କୁ ଅଧିକ ଗବେଷଣା ନିମନ୍ତେ ପ୍ରେରିତ କରିବା ସହ ସଚେତନତା କରାଯିବା , ସମ୍ପୃକ୍ତ ବିଭାଗ ଗୁଡିକ ଭୂମିକା ଆଦି ବିଷୟରେ ଆଲୋଚନା କରାଯାଇଛି ।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନ ଏମଡି ଡ଼ ବୃନ୍ଦା ଡି., ସ୍ଵତନ୍ତ୍ର ସଚିବ ବିଜୟ ମହାପାତ୍ର, ଡିଏମଇଟି ଡ଼ ସନ୍ତୋଷ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନୀଳକଣ୍ଠ ମିଶ୍ର , ପରିବାରକଲ୍ୟାଣ ନିର୍ଦ୍ଦେଶକ ଡ଼ ପ୍ରଦୀପ ଗୁରୁ , ଅତିରିକ୍ତ ନିର୍ଦ୍ଦେଶକ ଡ଼ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଇସିଏମଆର ବୈଜ୍ଞାନିକ ଡ଼ ସୁବ୍ରତ ପାଲୋ , ନିମ୍ସ ହାଇଦରାବାଦ ଡ଼ ଗଙ୍ଗାଧର ଟି ପିପିଟି ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ ।
