-
ଭାଗନେଲେ ୨୭ ଜିଲ୍ଲାର ୧୨୭ ଜଣ କିଶୋର କିଶୋରୀ
ଭୁବନେଶ୍ୱର ,କିଶୋରକିଶୋରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଦୁଇଦିନିଆ ଅଦ୍ୱିକା ସମ୍ମିଳନୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି । ଏଥିରେ ୧୦ରୁ ୧୯ ବର୍ଷ ବୟସ ମଧ୍ୟରେ ୨୭ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୧୨୭ ଜଣ କିଶୋର କିଶୋରୀ ଯୋଗଦେଇଛନ୍ତି । ସେମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, କାହାଣୀ ପଠନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।
କିଶୋର ଅବସ୍ଥାରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ପରିବର୍ତ୍ତନ, ସେମାନେ ସମ୍ମୁଖୀନ ହେଉଥିବା ହିଂସା ଓ ବିପଜ୍ଜନକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏବଂ ସେମାନଙ୍କର ଅନ୍ତର୍ନିହିତ ଦକ୍ଷତାର ଉନ୍ମେଷ କରିବା ସହ ଆର୍ଥିକ, ସାଂସ୍କୃତିକ ଓ ସମାଜବିକାଶ କ୍ଷେତ୍ରରେ ସେମାନଙ୍କ ବଳିଷ୍ଠ ଅବଦାନକୁ ପ୍ରତିପାଦିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଆଜି ପ୍ରଥମ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ ବିକାଶ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅଦ୍ୱିକା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଅତିଥିମାନେ କିଶୋରକିଶୋରୀମାନଙ୍କୁ ଶପଥ ପାଠ କରାଇବା ସହ ମିଳିତ ଭାବେ ଏକ ଉଜ୍ଜ୍ୱଳ, ଶକ୍ତିଶାଳୀ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ପାଇଁ ନିରାପଦ ସହଯୋଗର ବାତାବରଣ ସୃଷ୍ଟି କରିବା, ଶିକ୍ଷା ଓ ଉତ୍କର୍ଷ ଲାଭ ନିମନ୍ତେ ପ୍ରୟାସୀ ହେବା, ବୈଷୟିକ ଜ୍ଞାନର ସଦ୍ବ୍ୟବହାର, ବାଲ୍ୟବିବାହ ସହ ବିଭିନ୍ନ ଭେଦଭାବ ଓ ହିଂସା ରୋକିବା, ସମlନତା ଓ ସମସ୍ତ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ନିମନ୍ତେ କିଶୋରକିଶୋରୀମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଯୋଗଶିକ୍ଷା, ଦକ୍ଷତା ବିକାଶ, କ୍ୟାରିୟର୍ କାଉନ୍ସେଲିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମ,କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଙ୍କ ସହ ବକୁଳ ଫାଉଣ୍ଡେସନ୍, ହମାରା ବଚପନ୍ ଟ୍ରଷ୍ଟ,ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ଙ୍କ ମିଳିତ ସହଯୋଗ ରେ ଆୟୋଜିତ ହୋଇଛି ।
