ଭୁବନେଶ୍ବର, ଆଜି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ( Hands on Skill ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏକାକାଳୀନ ଭାବେ ଦୁଇଟି ସ୍ଥାନରେ ବିଭିନ୍ନ ଟ୍ରେଡ୍ କୁ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଠାରେ IT-ITes ଟ୍ରେଡ୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ Electronics and Hardware ଟ୍ରେଡ୍ ସମ୍ପର୍କରେ ପ୍ରଶିକ୍ଷିତ କରାଯାଉଛି । ସିଟିଟିସିଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।
ଉଦଘାଟନୀ ଅବସରରେ ଶ୍ରୀମତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଯୁଗରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ହେବାକୁ ପ୍ରେରିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ଏହି ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନେକମାତ୍ରାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ସିଟିଟିସିର ସାଧାରଣ ପରିଚାଳକ ଏଲ୍. ରାଜଶେଖର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ଭରପୂର ଲାଭ ଉଠାଇବାକୁ ଆହ୍ବାନ କରିଥିଲେ ଏବଂ ପିଲାମାନଙ୍କୁ ଧନ୍ଦାମୂଳକ କ୍ଷେତ୍ରରେ ଭବିଷ୍ୟତ ଗଠନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସିଟିଟିସିର ବରିଷ୍ଠ ପରିଚାଳକ ଏମ୍.କେ. ରାଜନ୍ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ପ୍ରିନ୍ସିପାଲ ଟି. ଥମ୍ବୀରାଜ, ସାମ୍ସ ଅଧିକାରୀ ଶ୍ରୀ ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
ସୂଚନାଯୋଗ୍ୟ, ସେଞ୍ଚୁରିଆନ୍ ୟୁନିଭର୍ସିଟିଠାରେ ସୋମବାର (୨୭/୧୦/୨୦୨୫ ) SPEFL ଟ୍ରେଡ୍ କୁ ନେଇ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ସେଠାରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି । ସେହିପରି ବିଶ୍ବ ଦକ୍ଷତା କେନ୍ଦ୍ର ଓ ସିଟିଟିସିଠାରେ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ମୟୂରଭଞ୍ଜ, ବଲାଙ୍ଗୀର, ଗଜପତିରୁ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି ପ୍ରଶିକ୍ଷଣରେ ସାମିଲ୍ ହୋଇଛନ୍ତି ।
