
ଭୁବନେଶ୍ୱର-ଆସନ୍ତା ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ । ଏଥରର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ” । ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି । କୃଷିରେ ପୁରୁଷଙ୍କ ଭଳି ମହିଳାଙ୍କ ଭାଗିଦାରୀ ମଧ୍ୟ ଅନୁରୂପ ଅଟେ। ସେଇମାନେ ହିଁ ପ୍ରକୃତରେ ଆମର ପାରମ୍ପରିକ ଖାଦ୍ୟ ଶସ୍ୟର ସଂରକ୍ଷକ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନିଟରିଂ କମିଟିର ବୈଠକ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଏବଂ ଉଦଯାପନୀ ସମାରୋହରେ ମହାମହିମ ରାଜ୍ୟପାଳ ଯୋଗଦେବେ । ଦେଶ ବିଦେଶରୁ ବହୁ କୃଷିବିତ୍, ବୈଜ୍ଞାନିକ, ମହିଳା କୃଷି ଉଦ୍ୟୋଗୀ, ଏନଜିଓ, ଏଫପିଓ, ଅନ୍ତର୍ଜାତୀୟ ସଂସ୍ଥା ଯଥା ଏଫଏଓ, ଏମଏସଏସଆରଏଫ, ଆଇଏଫପିଆରଆଇ, ଏସଇଡବ୍ଲୁଏ ଆଦି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ବହୁ ସଂଖ୍ୟକ ଚାଷୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଚଳିତବର୍ଷର ମାସ୍କଟ ମିଲି ମଧ୍ୟ ମୟୁରଭଞ୍ଜର ପ୍ରଖ୍ୟାତ ଫୁଟା ଶାଢ଼ୀ ପରିହିତା ଭାବେ ନଜର ଆସିବ ।
ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଓୟୁଏଟି ଡିନ ଡ଼ ପ୍ରସନ୍ନଜିତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆୟୋଜନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।