
-
ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ଅଛି
ଭୁବନେଶ୍ଵର,ରପ୍ତାନୀ କ୍ଷେତ୍ରରେ ଆମ ପାଖରେ ବ୍ୟାପକ ସୁଯୋଗ ରହିଛି । ସୁଯୋଗ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଅବଗତ ହେବା ଅତ୍ୟନ୍ତ ଜରୁରୀ । ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶାର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟୋଗୀମାନେ ମଧ୍ୟ ଆଗେଇ ଆସିବା ଉଚିତ । ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ “ସରକାରୀ ଅଧିକାରୀଙ୍କ ନିମନ୍ତେ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ରେ ଏହି ମତ ପ୍ରକାଶ ପାଇଛି ।
କାର୍ଯ୍ୟକ୍ରମର ଆରମ୍ଭରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଓଡ଼ିଶାରେ ଥିବା ରପ୍ତାନୀ ସମ୍ଭାବନା ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ । ଅଲ୍ଟ୍ରା ଲଜିଷ୍ଟିକ୍ସର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ, ସେଣ୍ଟର୍ ଫର୍ ଏନଭରମେଣ୍ଟ ଆଣ୍ଡ ଡେଭଲପମେଣ୍ଟର ବରିଷ୍ଠ ଉପଦେଷ୍ଟା ଡକ୍ଟର ମନୋଜ ଦାଶ, ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଶିଶିର ରଞ୍ଜନ ମିଶ୍ର କର୍ମଶାଳାରେ ଅଂଶଗ୍ରହଣ କରି ଓଡ଼ିଶା ଲଜିଷ୍ଟିକ୍ସ ନୀତି, ଓଡ଼ିଶା ପ୍ରକ୍ରୁରମେଣ୍ଟ ପ୍ରିଫରେନ୍ସ ପଲିସି, ଓଡ଼ିଶା ରପ୍ତାନି ନୀତି ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । କର୍ମଶାଳା ଶେଷରେ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନାଯୋଗ୍ୟ, ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା । ରାମ୍ପ୍ ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବିଶ୍ୱବ୍ୟାଙ୍କ ସମର୍ଥିତ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକରି ହେଉଥିବା ଏକ ଯୋଜନା । ଏହି କର୍ମଶାଳା ଏମଏସଏମଇ ପରିବେଶକୁ ଅଧିକ ଶକ୍ତିଶାଳୀ କରିବା ସହ ସରକାରୀ ଅଧିକାରୀ ଓ ଉଦ୍ୟୋଗୀଙ୍କ ଜ୍ଞାନବୃଦ୍ଧି କରିବାରେ ଏକ ସଫଳ ମଞ୍ଚ ଭାବେ ପ୍ରମାଣିତ ହୋଇଥିଲା ।