
ଭୁବନେଶ୍ଵର: ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି । ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା । ମେଘାଳୟ ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଡିଡିଜି ଡକ୍ଟର ଆଲୋକ ମାଥୁର , ଡାଇରେକ୍ଟର ଅଫ୍ ପବ୍ଲିକ୍ ହେଲ୍ଥ୍ (DPH) ଡକ୍ଟର ନୀଳକଣ୍ଠ ମିଶ୍ର, ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟର ଡକ୍ଟର ନାଗେଶ ସିମ୍ହା, ରାଜ୍ୟ ନୋଡାଲ ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ସ୍ଵାଇଁ , ବାଗଚି ଶଙ୍କର କ୍ୟାନ୍ସର୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡଙ୍ଗୀ ସହିତ ବିଶେଷଜ୍ଞମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ୟାଲିଏଟିଭ୍ କେୟାର ପାଇଁ ଜାତୀୟ କାର୍ଯ୍ୟକ୍ରମ(NPPC) ର ରାଜ୍ୟ କାର୍ଯ୍ୟକାରୀ ଅଧିକାରୀ (SPO) ଏବଂ ୧୪ ରାଜ୍ୟର ପ୍ୟାଲିଏଟିଭ୍ କେୟାର୍ ଇଉନିଟ୍ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଏବଂ ସଂଘ ଶାସିତ ଅଞ୍ଚଳ ଦ୍ୱାରା ପ୍ୟାଲିଏଟିଭ୍ କେୟାର୍ ର ଶ୍ରେଷ୍ଠ କୃତିତ୍ୱ ଉପରେ ପୋଷ୍ଟର୍ ପ୍ରଦର୍ଶନୀ ହୋଇଥିଲା ।