ନିର୍ବନ୍ଧ ପାଇଁ ହସଖୁସିରେ ଡଙ୍କଲପାଡ଼ୁ ଗ୍ରାମର ପୁଅଘର ଲୋକ ଗତକାଲି ବସ୍ରେ ଗୋଳନ୍ଥରା ଥାନା ଚିକରଡ଼ା ଗାଁକୁ ବାହାରିଥିବା ବେଳେ ଅପରାହ୍ଣ ପ୍ରାୟ ୧ଟା ବେଳେ ମେଣ୍ଡରାଜପୁର ଛକରେ ଘଟିଥିଲା ଏହି ଦୁଃଖଦ ଘଟଣା। ବସ୍ରେ ୧୧କେଭି ବିଦ୍ୟୁତ ତାର ଲାଗି କରେଣ୍ଟ୍ ଚାର୍ଜ ହୋଇଯିବାରୁ ଜଣେ ପରେ ଜଣେ ଜଳି ଯାଇଥିଲେ। ଗତକାଲି ଡଙ୍କଲପାଡ଼ୁ ଗ୍ରାମରେ ଏକାଠି ୮ଜଣଙ୍କ ଚିତା ଜଳିଛି। ଆଜି ପୂରା ଗାଁ ଶୋକରେ ବୁଡ଼ି ରହିଛି। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, କେମିତି ଏତେ ବଡ଼ ଘଟଣା ଘଟିଲା ଆଉ ଏଥିପାଇଁ କିଏ ଦାୟୀ? ପୁଅଘର ପରିବାର ମଧ୍ୟ ଏହି ମର୍ମନ୍ତୁଦ ଘଟଣା ସ୍ତବ୍ଧ। ଡଙ୍କଲପାଡ଼ୁ ଗାଁର ୟୁ. ସନ୍ୟାସୀ ରେଡ୍ଡିଙ୍କ ପୁଅ ୟୁ. ଅଶୋକ ରେଡ୍ଡି ନିର୍ବନ୍ଧ ପାଇଁ ଯିବା ବେଳେ ୧୧କିଭି ବିଦ୍ୟୁତ ତାର ୧୦ଜଣ ସମ୍ପର୍କୀୟଙ୍କୁ ଛଡ଼ାଇ ନେଲା।
ଏହି କଥାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ଆସନ୍ତା କାଲି ଅଶୋକଙ୍କ ବାହାଘର। ବେଶ୍ ଧୂମଧାମ୍ରେ ହୋଇଥାନ୍ତା। ହେଲେ ଏବେ ସେଠି ଶୋକର ଛାୟା। ସମସ୍ତଙ୍କ ଆଖିରେ ଲୁହ। ବନ୍ଧୁବାନ୍ଧବ ଘରକୁ ଆସି ପରିବାର ବର୍ଗଙ୍କୁ ଆଶ୍ବାସନା ଦେଉଛନ୍ତି। ସେପଟେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଅଶୋକଙ୍କ ଘରେ ପହଞ୍ଚି ସମବେଦନା ଜ୍ଞାପନ କରୁଛନ୍ତି। ଅନ୍ୟପଟେ ଚିକରଡ଼ା ଗାଁରେ ଝିଅ ଘରେ ମଧ୍ୟ ସେହି ସମାନ ଅବସ୍ଥା। ଝିଅଘର ଲୋକ ମଧ୍ୟରେ ଶୋକରେ ରହିଛନ୍ତି। ଝିଅଘର ପକ୍ଷରୁ ଆଜି ବହୁ ସମ୍ପର୍କୀୟ ବଡ଼ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଗତକାଲି ଆଉ ନିବର୍ନ୍ଧ ହୋଇପାରିଲା ନାହିଁ। ୧୧କେଭି ବିଦ୍ୟୁତ ତାର ସବୁ ଖୁସି ଛଡ଼ାଇ ନେଲା।
ଏହି ଘଟଣାରେ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୪୩/୨୦ରେ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡ୍ରାଇଭର୍ ଓ ହେଲପର୍ଙ୍କ ପତ୍ତା ମିଳି ନାହିଁ। ଗତକାଲି ବସ୍ ପଛରେ ଆସୁଥିବା ଅଶୋକ ଏବଂ ଜଗନ୍ନାଥ ବିଦ୍ୟୁତ ତାର ସମ୍ପର୍କରେ କହିଥିଲେ ଓ ଗାଡ଼ି ରଖିବା ପାଇଁ ତାଗିଦ୍ କରିଥିଲେ। ହେଲେ ଡ୍ରାଇଭର୍ କିଛି ନଶୁଣି ଗାଡ଼ି ଆଗକୁ ନେଇ ଯାଇଥିଲା। ଯାହା ଫଳରେ ୧୧କେଭି ତାର ଲାଗି କରେଣ୍ଟ ଚାର୍ଜ ହୋଇ ଯାଇଥିଲା। ସିପିଆଇଏମ୍ ପକ୍ଷରୁ ସାଉଥ୍କୋର ଅବହେଳାକୁ ଦାୟୀ କରି ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି। ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଦାବି କରିଛନ୍ତି।