
ମାଲକାନଗିରି– ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ପଞ୍ଚାୟତରେ ମନରେଗା ଯୋଜନା ପାଲଟିଛି ପ୍ରହସନ । ଏହି ଲୋକାଭିମୁଖି ଯୋଜନାରେ ପ୍ରକୃତ ଜବକାର୍ଡ ଧାରୀ ମାନେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏହି ଯୋଜନାରେ କେତେକ ସ୍ଥାନରେ ବାହାର ଜିଲ୍ଳାର ଶ୍ରମିକ ଓ ମେସିନ ସାହାଯ୍ୟରେ କାମ କରୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ପଞ୍ଚାୟତର କାଟାଗୁଡା ଠାରୁ ପିନାମାଦିଗୁରୁ କୁ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ବର ୧୦୬୦୪୫୦୩ ରାସ୍ତାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୯ ଲକ୍ଷ ୩୪ ହଜାର ଟଙ୍କା ଏବଂ ପିନାମାଦିଗୁରୁ ଠାରୁ କାଟାଗୁଡା କୁ ନିର୍ମିତ କୋଡ଼ ନମ୍ବର ୧୦୬୦୪୫୦୭ ରାସ୍ତାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୬,୧୯୦୦୦ ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ ହୋଇଛି । ତେବେ ଏଭଳି ଏକ ମହତ୍ ଯୋଜନାକୁ ବିଭାଗୀୟ ଅଧିକାରୀ ଅର୍ଥର ଲାଳସାରେ ଲୋକଙ୍କୁ ନେଇ କାମ କରାଇବା ପରିବର୍ତେ କିଛି ଠିକାଦାରଙ୍କ ସହଯୋଗରେ କିଛି ମାସ ତଳେ ମେସିନ ଲଗାଇ ପ୍ରକଳ୍ପକୁ ଚଟାପଟ ସାରି ଦେଇଥିବା ଅଭିଯୋଗ ହୋଇଛି । ଏହାସହ ବର୍ତ୍ତମାନ ଫଟୋ ରୁ ଫଟୋ ଉଠାଇ ଏନଏମଏସ କରାଯାଉଥିବା ଅଭିଯୋଗ ହୋଇଛି । ଏହାସର୍ତ୍ତେ ତୃଣମୂଳ ସ୍ତରରେ ଏହି ଯୋଜନା ସରକାରୀ ବାବୁ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବା ବେଳେ ଉଭୟ ବ୍ୟାପକ ପରିମାଣରେ ଅର୍ଥ ବାଟମାରଣା କରିବା ଭଳି ଚିତ୍ର ସାମ୍ନାକୁ ଆସିଛି । ସ୍ଥାନୀୟ କିମ୍ବା ପଞ୍ଚାୟତ ଅର୍ନ୍ତଗତ ଶ୍ରମିକ ଦ୍ଵାରା ଏହି କାର୍ଯ୍ୟ କରିବା ନିୟମାବଳୀ ରେ ରହିଥିବା ସତ୍ତ୍ୱେ ଅତ୍ୟଧିକ ଲାଭବାନ ହେବାକୁ ଲକ୍ଷ୍ୟ ରଖି ବେଆଇନ୍ ଭାବେ ଶ୍ରମିକ ବଦଳରେ ପୋକ୍ଲିନ ମେସିନ୍ ଦ୍ଵାରା କାମ କରାଇ ବର୍ତ୍ତମାନ ସ୍ଥାନୀୟ ଜବକାର୍ଡ ଧାରୀଙ୍କ ଆକାଉଣ୍ଟକୁ ଅସାଧୁ ଉପାୟରେ ଟଙ୍କା ପଠାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ବିନା ଏପରି ଦୁର୍ନୀତି ପୁର୍ଣ୍ଣ କାର୍ଯ୍ୟ ସମ୍ଭବ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ, ଏପରି ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ତଥା କାର୍ଯ୍ୟ କରୁଥିବା ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି । ତେବେ ଏନେଇ ସମ୍ପୃକ୍ତ ପଞ୍ଚାୟତର ଏଡିଇଓ ଗଙ୍ଗାଧର ବିଶୋଇଙ୍କ ସହ ଯୋଗା ଯୋଗ କରିବାରୁ ସେ ଏହାର ତଦନ୍ତ କରି ସୂଚନା ଦେବେ ବୋଲି କହିଛନ୍ତି ।