-
ଦାୟୀ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମାଲା ରୁଜୁ ସହ ମୃତକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
ଭୁବନେଶ୍ୱର– ଗଂଜାମ ଜିଲ୍ଲା ମେଣ୍ଢରାଜ ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ବସ୍ ରେ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ବିଜୁଳି ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ, ସାଉଥ୍କୋର କାର୍ଯ୍ୟନିର୍ବାହୀ ଏବଂ ପରିବହନ ବିଭାଗ କର୍ତୃପକ୍ଷଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜୁ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ସେହିପରି ମୃତ ବସ୍ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଓ ଆହତଙ୍କୁ ମାଗଣା ଚିକିତ୍ସା ସହିତ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ଦଳ ପକ୍ଷରୁ ସୋମବାର ରାଜ୍ୟ ମାନବିକ ଅଧିକାର କମିଶନଙ୍କୁ ଏକ ପିଟିସନ୍ ପ୍ରଦାନ କରାଯାଇଛି ।
ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଉକ୍ତ ପିଟିସନ୍ ରେ ଦର୍ଶାଇଛନ୍ତି ଯେ ଶକ୍ତି ବିଭାଗର ଦାୟିତ୍ୱହୀନତା ଓ ଅବହେଳା ପାଇଁ ବିଗତ ୧୦ ବର୍ଷରେ ୧୧୮୫ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହିତ ଆମ ରାଜ୍ୟରେ ୧୧୭ଟି ହାତୀ ମରିସାରିଲେଣି । ଶକ୍ତି ବିଭାଗ ଅଧିକାରୀ ଓ ସରକାରୀ କର୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ କେବଳ ଯେ, ଗଞ୍ଜାମରେ ଏଭଳି ଏକ ଦୁର୍ଘଟଣା ଘଟିଲା, ତାହା ନୁହେଁ ଗତକାଲି ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ମଧ୍ୟ ଏଭଳି ଏକ ଘଟଣା ଘଟିବାକୁ ଯାଉଥିଲା କିନ୍ତୁ ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବାଲିଆପାଳ ଘଟଣାକୁ ଏଡ଼ାଯାଇପାରିଛି । ତେଣୁ ରାଜ୍ୟ ସରକାର ବିଜୁଳି ବିଭାଗର ଅବହେଳା ପାଇଁ କେବଳ ୨ ଜଣ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଦେଲେ ଚଳିବ ନାହିଁ ଏହାର ଉଚ୍ଚ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ ମୃତକଙ୍କୁ କ୍ଷତିପୂରଣ ଉକ୍ତ କର୍ମଚାରୀଙ୍କର ଦରମା ଟଙ୍କାରୁ ଭରଣା କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି ।
ଆଗାମୀ ଦିନରେ ଏଭଳି ଘଟଣାକୁ ଏଡ଼ାଇ ଦେବାପାଇଁ ଆଜିଠାରୁ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଏବଂ ଯେଉଁ ଯାଗାରେ ବିଜୁଳି ଖୁଂଟଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି କିମ୍ବା ଟ୍ରାନ୍ସଫରମର ମୁକୁଳା ହୋଇପଡ଼ିଛି ବା ବିଜୁଳି ତାର ଝୁଲି ରହିଛି, ଏହାକୁ ତୁରନ୍ତ ସଜାଡ଼ିବା ପାଇଁ ଆବଶ୍ୟକୀୟ ତତ୍ପରତା ପ୍ରକାଶ କରିବାକୁ ରାଜ୍ୟ ସରକାର ଓ ବିଜୁଳି ବିଭାଗକୁ ମାନ୍ୟବର କମିଶନ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଏହି ପିଟିସନ୍ରେ ନିବେଦନ କରିଛନ୍ତି ।