ଭଦ୍ରକ- ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥଖୋଲା ବଜାରରେ ଆଜି ସକାଳେ ଏକ ଚଳନ୍ତା ବାଇକ୍ ଉପରେ ବିଦ୍ୟୁତ ତାର ଛିଡ଼ି ପଡିବା ଫଳରେ ବାଇକ୍ ଟି ସମ୍ପୂର୍ଣ୍ଣ ଜଳିଯାଇଛି । ସୌଭାଗ୍ୟବଶତଃ ଦୁଇ ବାଇକ୍ ଆରୋହୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଛନ୍ତି ।
ଚାଳକ ସୁରେନ୍ଦ୍ର ଜେନା (୩୩) ଓ ବାଇକ୍ ପଛରେ ବସିଥିବା ତାଙ୍କ ସମ୍ପର୍କୀୟ ଦୁର୍ଯ୍ୟୋଧନ ରାଉଳ (୪୨) ବିଦ୍ୟୁତ ଆଘାତରେ ରାସ୍ତା ତଳକୁ ଛିଟିକି ପଡି ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୁରେନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲକୁଟୁରୁ ନିକଟରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଥିଲେ ।