
ଭୁବନେଶ୍ବର : ଜରୁରୀ କାଳୀନ ପରିସ୍ଥିତିରେ କାରାବରଣ କରିଥିବା ରାଜବନ୍ଦୀମାନଙ୍କର ସର୍ବଭାରତୀୟ ସଂଗଠନ ଲୋକତନ୍ତ୍ର ସେନାନୀ ସଂଘ, ଓଡିଶା ପ୍ରଦେଶ ପକ୍ଷରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୩ତମ ଜୟନ୍ତୀ ସ୍ଥାନୀୟ ରେଡ୍କ୍ରସ୍ ଭବନଠାରେ ପାଳିତ ହୋଇଯାଇଛି। ଏଥିରେ ଜୟପ୍ରକାଶ ନାରାୟଣଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଏବଂ ନେତୃତ୍ବ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲୋକତନ୍ତ୍ର ସେନାନୀ ସଂଘ, ଓଡିଶା ପ୍ରଦେଶର ସଭାପତି ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ବିମ୍ବାଧର କୁଅଁର ସଭାପତିତ୍ୱ କରିଥିବା ସହ ସାଧାରଣ ସମ୍ପାଦକ ଶ୍ରୀଧର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ମିଳିତ ଓଡିଶା ନିଶା ନିବାରଣର ପ୍ରମୁଖ ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ଶିକ୍ଷାବିତ୍ ପୂର୍ଣଚନ୍ଦ୍ର ମଲ୍ଲିକ ଏବଂ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଜୟପ୍ରକାଶ ନାରାୟଣଙ୍କ ବହୁବିଧ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। ଦେଶର ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ଜୟପ୍ରକାଶଙ୍କ ଯୋଗଦାନ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ବୋଲି ମୁଖ୍ୟ ବକ୍ତା କୃଷ୍ଣଚନ୍ଦ୍ର ଜଗଦେବ କହିଥିଲେ। ସଂଘର କର୍ମକର୍ତ୍ତା ଭୁବନାନନ୍ଦ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ଜେନା, ଉମାକାନ୍ତ ଦାସ, ଅତସୀ ସ୍ୱାଇଁ ଏବଂ ଗଦାଧର ମିଶ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଜୟପ୍ରକାଶଙ୍କ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେନାନୀ ସଂଘର ବରିଷ୍ଠ ସଦସ୍ୟ ହରିହର ସାହୁ ଏବଂ ବିଶ୍ବନାଥ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସେନାନୀ ମାନେ ଯୋଗଦେଇଥିଲେ । ପରିଶେଷରେ ରାମ ରତନ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।