
ଭୁବନେଶ୍ୱର,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଆଜି ପାଠକ ଓ ପାଠିକାମାନଙ୍କ ନିମନ୍ତେ ସେବାପକ୍ଷ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାର ମୂଳଲକ୍ଷ୍ୟ ଯେ ପାଠାଗାରରେ ଅଧ୍ୟୟନ କରୁଥିବା ପାଠକ ଓ ପାଠିକାମାନେ ରାଜ୍ୟ ସ୍ତରୀୟ ଓ ସର୍ବ ଭାରତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବହୁଭାବେ କୃତକାର୍ଯ୍ୟ ହୋଇ ରାଜ୍ୟ ପାଇଁ ସୁନାମ ଅର୍ଜନ କରିବେ।
ଆଜିର ଏହି କାର୍ଯ୍ୟକ୍ରମ ଗ୍ରନ୍ଥାଗାରରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ଶ୍ରୀଯୁକ୍ତ ଦେବପ୍ରସାଦ ଦାଶ, ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଆଜିର ବକ୍ତୃତା ପ୍ରତିଯୋଗିତାର ବିଚାରକ ଥିଲେ । ଆଜିର ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ରହିଥିଲା “୨୦୧୪ ପରେ ଭାରତ”। ପାଠକ ପାଠିକାମାନେ ବକ୍ତୃତା ପ୍ରଦାନ କରି ସାରିବା ପରେ ସେମାନେ ଭବିଷ୍ୟତରେ କିପରି ଜଣେ ଜଣେ ଉତ୍କୃଷ୍ଟ ବକ୍ତା ହେବେ ସେଥିପାଇଁ ବିଚାରକମାନେ ପାଠକ ଓ ପାଠିକାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଇଂରାଜୀ ଓ ଓଡ଼ିଆ ବକ୍ତୃତାରେ ବିଜେତା ହୋଇଥିବା ପାଠକ ଓ ପାଠିକାମାନଙ୍କୁ ଶେଷରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।