
-
ସଫଳ ଉଦ୍ୟୋଗୀ ହେବା ପାଇଁ ଆମକୁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିବାକୁ ପଡ଼ିବ – ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଭୁବନେଶ୍ୱର, ୨ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ୱାର୍ଲଡ ସ୍କିଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀମାନେ ସେମାନଙ୍କର ସଫଳତା ପ୍ରଦର୍ଶିତ କରିଥିଲେ । ଏହା ସେମାନଙ୍କ ଦକ୍ଷତାକୁ ଉଦ୍ୟୋଗରେ ପରିଣତ କରି ଓଡ଼ିଶାର ସାମାଜିକ ଓ ଆର୍ଥିକ ପ୍ରଗତିରେ ସହଭାଗୀ କରିବ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱରେ ଆଜି ସାମାଜିକ ଓ ଆର୍ଥିକ ପ୍ରଗତି ପାଇଁ ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ଉପରେ ଦୃଢ଼ ଗୁରୁତ୍ୱ ଦିଆଯାଉଛି । ଦକ୍ଷତା ବିକାଶ ଆମର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ସକ୍ଷମ କରିବା ସହ ଉଦ୍ୟୋଗୀମାନଙ୍କୁ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ସକ୍ଷମ କରୁଅଛି । ଏହି ସଶକ୍ତିକରଣ ଏକ ବିକଶିତ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହୋଇପାରିବ । ଏହା ଅଧୀନରେ ୧୦ ହଜାରରୁ ଅଧିକ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ତା’ମଧ୍ୟରେ ୭୦ ପ୍ରତିଶତ ମହିଳା ଅଛନ୍ତି । ଉପଯୁକ୍ତ ପରାମର୍ଶ, ସହଜ ଋଣ ସହାୟତା ଏବଂ ଆବଶ୍ୟକ ବଜାରର ସୁବିଧା ଯୋଗୁଁ ଆଜି ଓଡ଼ିଶାରେ ଏକ ହଜାରରୁ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନାନୋ ୟୁନିକର୍ଣ୍ଣ ଯୋଜନାରେ ଅଧୀନରେ ମନୋନୀତ ହିତାଧିକାରୀମାନଙ୍କୁ ୧ ଲକ୍ଷ ଟଙ୍କାର ସିଡ୍ ଫଣ୍ଡିଂ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ ପ୍ରେରଣାଦାୟୀ ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀକୁ ସଂଗୃହୀତ କରି ଏକ ସଂକଳିତ କଫି ଟେବୁଲ ବୁକ୍ର ଉନ୍ମୋଚନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମିତା ପଣ୍ଡା ଓ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।