
ଭୁବନେଶ୍ବର, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଏକ ପ୍ରଥମ ଡିଜିଟାଲ କାର୍ଯ୍ୟକ୍ରମ ତଲାଶ୍ (TALASH )- (Tribal Aptitude, Life Skills, and Self-Esteem Hub) ର ଶୁଭାରମ୍ଭ ହୋଇଛି । ଦି ନ୍ୟାସନାଲ୍ ଏଜୁକେସନ୍ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ୍ସ (NESTS) ୟୁନିସେଫ୍ ର ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ।
ଜାତୀୟ ଶିକ୍ଷା ନୀତି (NEP) 2020 ସହିତ ଜଡ଼ିତ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶରେ 1.38 ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ । ମାନସିକ ମୂଲ୍ୟାଙ୍କନ ମାଧ୍ୟମରେ ସେମାନଙ୍କର ଦକ୍ଷତା ଚିହ୍ନଟ କରିବା, କ୍ୟାରିଅର ମାର୍ଗଦର୍ଶନ କରିବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଲାଭ ପହଞ୍ଚାଇବ ।
ଏହାକୁ ଓଡିଶାରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ତିନି ଦିନବ୍ୟାପୀ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବରଠାରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ 47 ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ 94 ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅଧିବେଶନଗୁଡ଼ିକରେ କ୍ୟାରିୟର ପରାମର୍ଶ, ଆତ୍ମସମ୍ମାନ ବୃଦ୍ଧି ଏବଂ ଜୀବନ କୌଶଳ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟକ୍ତିଗତ କ୍ୟାରିୟର କାର୍ଡ ବିକାଶ କରିବା ଉପରେ ଧ୍ୟାନ ଦିଆଯାଇଥିଲା । ଶିକ୍ଷାଗତ ଏବଂ କ୍ୟାରିୟର ଚୟନ କରିବାରେ ଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ତଲାଶ୍ ବହୁ ମାତ୍ରାରେ ସହାୟକ ହୋଇପାରିବ ।
ଆଜି ଏହାର ଉଦଯାପନୀ ସମାରୋହରେ OMTES ର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଉପ ଶାସନସଚିବ ପ୍ରଣତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । NESTS ର ଏହି ପଦକ୍ଷେପ ପାଇଁ ପ୍ରଶଂସା କରିବା ସହ ସାମଗ୍ରିକ ବିକାଶ ପାଇଁ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଶିକ୍ଷକମାନଙ୍କୁ ଆଦର୍ଶ ଓ ଉପଯୁକ୍ତ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।