
ଭୁବନେଶ୍ୱର :ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମୀକ୍ଷା ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ , ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ପି. ଫୁନକୁଲ, କମିଶନର ରେଳ ସଂଯୋଜନା ତଥା ଯୁଗ୍ମ ସଚିବ କୌସ୍ତୁଭ ଦୀପ୍ତ ପାଣିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉକ୍ତ ବୈଠକରେ ଉପସ୍ଥିତ ଥିଲେ।
ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ନିରନ୍ତର ଭାବେ ଜମି ଅଧିଗ୍ରହଣ ସହ ଅନ୍ୟ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ, ପୁଞ୍ଜି ବିନିଯୋଗ ଦିଗରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ୪୯୨.୧୨ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୩୨ କିଲୋମିଟର ବ୍ୟାପୀ ପୁରୀ -କୋଣାର୍କ ରେଳପଥ ଦ୍ବାରା ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ, ଏହା ସହିତ ଗୋଟିଏ ଷ୍ଟେସନ-ଗୋଟିଏ ଉତ୍ପାଦ ଅଧୀନରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ।
ମୟୂରଭଞ୍ଜ ଜିଲ୍ଲାର ୩ଟି ପ୍ରକଳ୍ପ ଯଥା ବାଙ୍ଗିରୀପୋଷି- ଗୋରୁମହିସାଣୀ, ବାଦାମପାହାଡ଼-କେନ୍ଦୁଝରଘର ଏବଂ ବୁଡ଼ାମାରା-ଚାକୁଳିଆ ଉତ୍ତର ଓଡ଼ିଶାକୁ ଦକ୍ଷିଣାଞ୍ଚଳ ସହ ଯୋଡ଼ିବ। ଏହା ଦ୍ବାରା ବେତନଟୀ ଠାରୁ ରାଜଗାଙ୍ଗପୁରକୁ ସିଧାସଳଖ ଯୋଗାଯୋଗ ସ୍ଥାପନା ହୋଇାପାରିବ। ଅନୁରୂପ ଭାବେ ଜଳେଶ୍ବର-ଚନ୍ଦନେଶ୍ବର ନେଇ ମଧ୍ୟ ଯୋଜନା କରାଯାଇଛି, ଯାହା ଦ୍ବାରା ସମୁଦ୍ର ତଟ୍ଟବର୍ତ୍ତୀ ପର୍ଯ୍ୟଟନରେ ଅଭିବୃଦ୍ଧି ହେବ। ସେହିଭଳି କେବିକେ ଅଞ୍ଚଳରେ ଗୁଣୁପୁର-ଥେରୁବାଲି, ଜୁନାଗଡ଼-ନବରଙ୍ଗପୁର ଏବଂ ମାଲକାନଗିରି-ପାଣ୍ଡୁରାଗପୁରମ୍ ଦ୍ବାରା ରାୟପୁର ଠାରୁ ବିଜୟଓ୍ବାଡାକୁ ସିଧାସଳଖ ସମ୍ପର୍କ ସ୍ଥାପନ ହୋଇପାରିବ ।
ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ଲାଇନ ଅଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ସ୍ଥାପନରେ ସହାୟକ ହେବ ଏବଂ ବରଗଡ଼-ନୂଆପଡ଼ା ରୋଡ ନୂତନ ଲାଇନ ଚାଉଳ ଉତ୍ପାଦନକାରୀ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅଞ୍ଚଳ ଗୁଡ଼ିକୁ ବଜାର ସହ ସହଜରେ ଯୋଡ଼ି ହେବେ ଏହା ସହିତ କୋଲଇ ରପ୍ତାନୀ ଖର୍ଚ୍ଚ ହ୍ରାସ ହେବା ସହ ଅନୁଗୁଳ-ତାଳଚେର ଏବଂ ରାୟପୁରରେ ପ୍ରଦୂଷଣ ହ୍ରାସ କରିବ।