
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ମଙ୍ଗଳବାର ସ୍ଥାୟୀ ଭାବରେ ନିଆଯାଇଛି l ଶୁଭବେଳା ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ-୧୯୬୦ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଏହି କାର୍ଯ୍ୟ ସମ୍ପାଦିତ ହୋଇଛି l ଗତ ବର୍ଷ (୨୦୨୪) ରଥଯାତ୍ରା ସମୟରେ ମରାମତି ଓ ସଂରକ୍ଷଣ ଉଦ୍ଦେଶ୍ଯରେ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ଖଟଶେଜ ଘର (ଭିତର) ଏବଂ ଚାଙ୍ଗଡ଼ା ଓ ଫୁଲ ଘର (ବାହାର ଭଣ୍ଡାର) କୁ ସ୍ଥାନାନ୍ତରିତ ହୋଇଥିଲା l ଗତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ମରାମତି ତଥା ସଂରକ୍ଷଣ ଶେଷ ହୋଇଥିବା ବେଳେ ଅସ୍ଥାୟୀ ଭଣ୍ଡାରରୁ ସମସ୍ତ ବହୁମୂଲ୍ୟ ସମାଗ୍ରୀ ସ୍ଥାୟୀ ଭାବେ ମୂଳ ରତ୍ନଭଣ୍ଡାରକୁ ନିଆଯାଇଛି l ଏହି ସ୍ଥାନାନ୍ତର ପୂର୍ବରୁ ୧୯ ତାରିଖରେ, ନୂଆ ରୂପ ପାଇଥିବା ଭଣ୍ଡାରକୁ ସଂସ୍କାର କରାଯାଇଥିଲା l
ପୂର୍ବନିର୍ଦ୍ଧାରିତ ବ୍ୟବସ୍ଥା ତଥା ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ପୂର୍ବାହ୍ନ ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ l ମହାପ୍ରଭୁଙ୍କ ଦର୍ଶନ ଆଶୀର୍ବାଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଟ୍ରେଜେରୀରୁ ଆସିଥିବା ଚାବିରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲାଯାଇ ଥିଲା l ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା l ସମସ୍ତ ଅଳଂକାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି l
ଏହା ପରେ ବ୍ୟବସ୍ଥା ଅନୁସାରେ, ଚାଙ୍ଗଡ଼ା ଘର ଅସ୍ଥାୟୀ ବାହାର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା l ଗଜପତି ମହାରାଜାଙ୍କ ଚାବି, ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ତିନି ଗୋଟି ଚାବି ଆସି ଏହା ଖୋଲାଯାଇଥିଲା l ସେଠାରୁ ସମସ୍ତ ସାମଗ୍ରୀ ନୂଆ ରୂପ ପାଇଥିବା ମୂଳ ବାହାର ଭଣ୍ଡାରକୁ ନିଆଯାଇଥିଲା l ସବୁ ସାମଗ୍ରୀ ସ୍ଥାନାନ୍ତର ହେବା ପରେ ମୂଳ ବାହାର ଭଣ୍ଡାରକୁ ତିନି ଟି ଯାକ ତାଲା ପକାଇ ବନ୍ଦ କରାଯାଇଥିଲା l ଉଭୟ ଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଭିଡିଓଗ୍ରାଫି ମଧ୍ଯ କରାଯାଇଥିଲା।
କାର୍ଯ୍ୟ ସମାପନ ପରେ ସମସ୍ତ ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରଣିପାତ ଜଣାଇଥିଲେ l ସୁରକ୍ଷା ଯାଞ୍ଚ ପରେ ସମସ୍ତ ସଦସ୍ୟ ଜଗମୋହନରୁ ପ୍ରସ୍ଥାନ କରିଥିଲେ।