
-
କୌଣସି ନୂଆ ମଦ ଦୋକାନ ଖୋଲବା ନେଇ ସରକାରଙ୍କ ପ୍ରସ୍ତାବ ନାହିଁ
-
ଶିକ୍ଷାନୁଷ୍ଠାନ ତଥା ଧର୍ମାନୁଷ୍ଠାନ ପାଖରେ ବିକ୍ରି ହୋଇପାରିବନି ମଦ
-
ନିୟମିତ ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ
ଭୁବନେଶ୍ୱର ,ରାଜ୍ୟ ସରକାର ଏବଂ ଅବକାରୀ ବିଭାଗ ବେଆଇନ ମଦ ଓ ନିଶା କାରବାରକୁ ରୋକିବା ଦିଗରେ ନିଜର ଆଭିମୁଖ୍ୟକୁ ସବୁବେଳେ ସ୍ପଷ୍ଟ କରିଆସିଛନ୍ତି । ଏହି କ୍ରମରେ ରାଜସ୍ୱ ଆଦାୟ ନୁହେଁ ବରଂ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ପ୍ରାଥମିକତା ରହି ଆସିଛି । ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିଛି । ଚଳିତ ଥରକୁ ମିଶାଇ ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଥର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରାଯାଇ ସାରିଲାଣି । ଏହି ଅଭିଯାନରେ ୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବେଆଇନ ମଦ ଓ ସାମଗ୍ରୀ ଜବତ ହୋଇଛି । ଏଥି ସହିତ ଏହି କାରବାରରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଯିବା ସହ ଚୋରାଚାଲାଣରେ ବ୍ୟବହୃତ ଗାଡ଼ିକୁ ଚଢ଼ାଉକାରୀ ଦଳ ଜବତ କରିଛି । ତେବେ ନିକଟରେ ଚଳିତ ବିଧାନସଭା ଅଧିବେଶନରେ ମାନ୍ୟବର ମନ୍ତ୍ରୀଙ୍କ ଉତ୍ତରକୁ କିଛି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭିନ୍ନ ରୂପରେ ଉପସ୍ଥାପିତ ହୋଇଥିବା ବିଭାଗର ନଜରକୁ ଆସିଛି ।
ବିଭାଗ ପକ୍ଷରୁ ଏଥି ନେଇ ସବୁ ଜନସାଧାରଣ ତଥା ରାଜ୍ୟବାସୀଙ୍କୁ ଜଣାଇ ଦିଆଯାଉଛି କି ବର୍ତ୍ତମାନ ନୂଆ ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ପ୍ରସ୍ତାବ ନାହିଁ ।
ଅବକାରୀ ନୀତିର ଅଧିନିୟମ-୨୬ ଅନୁଯାୟୀ ଶିକ୍ଷାନୁଷ୍ଠାନର ୫୦୦ ମିଟର, ଧର୍ମାନୁଷ୍ଠାନର ୩୦୦ ମିଟର ଏବଂ ସର୍ବସାଧାରଣ ସ୍ନାନାଗାରର ୧୦୦ ମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବା ନେଇ ପ୍ରାବଧାନ ନାହିଁ । ଏ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏଥିସହିତ ସମସ୍ତ ମଦ ଦୋକାନଗୁଡ଼ିକ ଯେପରି କୌଣସି ଶିକ୍ଷାନୁଷ୍ଠାନ, ମନ୍ଦିର କିମ୍ବା ଅନ୍ୟ ନିଷିଦ୍ଧାଞ୍ଚଳରେ ନ ରହିବ ସେଥିନେଇ ପଦକ୍ଷେପ ନିଆଯାଉଛି । ଏଥି ସହ ସବୁ ମଦ ଦୋକାନ ତଥା ବାର୍ଗୁଡ଼ିକୁ ଗୁଗୁଲୁ ମ୍ୟାପ୍ରେ ଚିହ୍ନଟ କରାଯିବା ସହ ସରକାରଙ୍କ ନିକଟରେ ତଥ୍ୟ ରହିବ ।
ଏଠାରେ ସୂଚନା ଯୋଗ୍ୟଯେ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଆବଣ୍ଟିତ ହୋଇଥିବା ମଦ ଦୋକାନ ତଥା ବାର ଗୁଡ଼ିକ ବିଭିନ୍ନ କାରଣ ଯଥା ଜନ ଅସନ୍ତୋଷ, ବେଆଇନ କାରବାରରେ ସମ୍ପୃକ୍ତି, ଦେବାଳିଆ ସ୍ଥିତି ଯୋଗୁଁ ମଦ ଦୋକାନ ଲାଇସେନ୍ସ ନବୀକରଣ ନ କରିବା ଇତ୍ୟାଦି କାରଣ ନେଇ ମଦ ଦୋକାନ ଗୁଡ଼ିକ ବନ୍ଦ ହୋଇଥାଏ I ତେବେ ପରବର୍ତ୍ତୀ ସମୟରେ ଅନୁସନ୍ଧାନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ I ଏହା ଏକ ସାଧାରଣ ପ୍ରକ୍ରିୟା I ତେବେ ନୂଆ ମଦ ଦୋକାନ ନ ଖୋଲିବା ନେଇ ସରକାର ନିଷ୍ପତ୍ତି ବଳବତ୍ତର ଅଛି I
ଅବକାରୀ ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ ଭାବେ ସବୁ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ସମସ୍ତ ପ୍ରକାର ବେଆଇନ ମଦ ତଥା ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ବିଭାଗ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ସଚେତନତା ଅଭିଯାନ ଜାରି ରଖିଛି । ସେହିପରି ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ମଡେଲ ନିଶାନିବାରଣ କେନ୍ଦ୍ର ଖୋଲାଯିବ । ଆଗାମୀ ଅକ୍ଟୋବର- ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବେଆଇନ ତଥା ସମସ୍ତ ପ୍ରକାର ନିଶାସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ I ଏଥିନେଇ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।