
-
୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ; ୧୫୩ ଗିରଫ
ଭୁବନେଶ୍ୱର, ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି I
ଏହି କ୍ରମରେ ମୋଟ ୨୫୪ ଟି ମାମଲା ରୁଜୁ ହେବା ସହ ବେଆଇନ କାର୍ଯ୍ୟରେ ଜଡିତ ଥିବା ୧୫୩ ଜଣକୁ ଗିରଫ କରାଯାଇଛି I ଏନଫୋର୍ସମେଣ୍ଟ ଦଳ ୧୦, ୬୦୬ ଲିଟର ଆଇଡି ଲିକର, ୬୦୩ ଲିଟର ଡ୍ୟୁଟି-ପେଡ୍ ଲିକର, ୧୧ ଲିଟର ଡୁପ୍ଳିକେଟ ଲିକର ଜବତ କରିଛନ୍ତି I ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ଥିବା ୧, ୦୭, ୫୨୩ ଲିଟର ପୋଚ ନଷ୍ଟ କରିଛନ୍ତି । ଏଥିସହିତ ବେଆଇନ ପରିବହନରେ ବ୍ୟବହୃତ ୨୦ ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି I
ନିଷିଦ୍ଧ ନିଶା କାରବାର ଓ ଚୋରା ଚାଲାଣ ରୋକିବା ଦିଗରେ ମଧ୍ୟ ଏନଫୋର୍ସମେଣ୍ଟ ଦଳକୁ ସଫଳତା ମିଳିଛି I ଏଥିରେ ୧୩ ଟି NDPS ମାମଲା ରୁଜୁ ସହ ୧୬୩ କିଲୋଗ୍ରାମ ଗଞ୍ଜେଇ ଏବଂ ୨୪୫ ଗ୍ରାମ ହେରୋଇନ ଜବତ କରାଯାଇଛି I ଯାହା ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧକୁ ଦମନ କରିବାରେ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ପଷ୍ଟ କରୁଛି।
ଏହି ବିଶେଷ ଅଭିଯାନ ଜରିଆରେ ନିୟମିତ ଚଢ଼ାଉ ଜାରି ରଖି ବେଆଇନ ମଦ ଓ ନାର୍କୋଟିକ୍ସ ଚୋରାଚାଲାନରେ ଜଡିତ ସୁଦୃଢ ନେଟୱର୍କକୁ ଭଙ୍ଗିବାକୁ ବିଭାଗ ଲକ୍ଷ୍ୟ ରଖିଛି I