
-
ଅନଲାଇନରେ ରହିବ ନୋଟାରୀ ଓ ଆଇନଜୀବୀଙ୍କ ସମ୍ପୂର୍ଣ୍ଣ ଡାଟାବେସ
-
ନୋଟାରୀମାନେ ନିୟମିତ କାର୍ଯ୍ୟର ବିବରଣୀ ଦାଖଲ କରିବେ
ଭୁବନେଶ୍ୱର, ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି I ଏହି କ୍ରମରେ ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୋଟାରୀ ଓ ଆଇନଜୀବୀଙ୍କ ଲାଗି ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ ବିଷୟରେ ଆଲୋଚନା ହୋଇଥିଲା I ଏହି ୱେବ ପୋର୍ଟାଲ ଜରିଆରେ ସବୁ ନୋଟାରୀ ଓ ଆଇନଜୀବୀଙ୍କୁ ପଞ୍ଜିକୃତ କରାଯିବ I ନୂଆ ନିଯୁକ୍ତି ଲାଗି ମଧ୍ୟ ନୋଟାରୀ ମାନେ ଏହି ପୋର୍ଟାଲ ଜରିଆରେ ଦରଖାସ୍ତ କରିପାରିବେ I ପରବର୍ତ୍ତୀ ସମୟରେ ନୋଟାରୀ ମାନେ ନିୟମିତ ନିଜ କାର୍ଯ୍ୟର ବିବରଣୀ ଏହି ପୋର୍ଟାଲ ଜରିଆରେ ଦାଖଲ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା I ଏଥି ସହିତ ସହଜ ବ୍ୟବହାର ଲାଗି ଏକ ମୋବାଇଲ ଆପ ପ୍ରସ୍ତୁତ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ I
ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଅରୁଣ କୁମାର ସାହୁ ଏବଂ ଯୁଗ୍ମ ଶାସନ ସଚିବ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I