
ଭୁବନେଶ୍ୱର,”ପ୍ରତ୍ୟେକଟି ଜୀବନ ହେଉଛି ମୂଲ୍ୟବାନ। ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜୀବନରେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମହତ୍ୟା ମାନସିକତା ନ ଆଣିବା, ଜୀବନରେ ସକାରତ୍ମକ ଚିନ୍ତାଧାରା ରଖିବାର ଭାବନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “ଜୀବନ ଜିନ୍ଦାବାଦ” କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଜୀବନରେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯଦି ଦୃଢ଼ତାର ସହ ଆମେ ନିଜକୁ ବୁଝାଇ ପାରିବା ଏବଂ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯାଇପାରିବ ଏହି ଭାବନାକୁ ନେଇ ଆଗକୁ ବଢିବା ତେବେ ଆମ ସମାଜରୁ ଆମେ ଆତ୍ମହତ୍ୟା ଭଳି ବ୍ୟାଧିକୁ ଦୂରୀଭୂତ କରିପାରିବା। କେବଳ ନିଜ ପାଇଁ ନୁହେଁ, ବରଂ ଆମର ଚତୁଃପାର୍ଶ୍ବରେ ଯଦି କିଏ ଭାଙ୍ଗିପଡୁଛି, କିଏ ଦୁଃଖରେ ମ୍ରିୟମାଣ ହୋଇପଡୁଛି, ତାଙ୍କୁ ସହଯୋଗ କରିବା। ସକାରାତ୍ମକ ମାନସିକତା ପୋଷଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା। ଆତ୍ମହତ୍ୟା ନିରୋଧ ଦିଗରେ ସମସ୍ତଙ୍କୁ ସଚେତନ କରିବା। ଆଜିର ଦିନରେ ଆମେ ସମସ୍ତେ ଶପଥ ନେବା ଯେ, ଆମେମାନେ ଜଣେ ଜଣେ ଜୀବନ ରକ୍ଷକ ଭାବେ କାର୍ଯ୍ୟ କରିବା” ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ନମନ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମରେ ‘ଜୀବନ ଜିନ୍ଦାବାଦ’ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନମନ ଫାଉଣ୍ଡେସନର ଉପସଭାପତି ତଥା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚ୍ଚୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚେତନତାଧର୍ମୀ ‘ଜୀବନ ଜିନ୍ଦାବାଦ’ କ୍ଷୁଦ୍ର ନାଟକ ଏବଂ ‘ଆତ୍ମହତ୍ୟା କରନାହିଁ’ ନୃତ୍ୟନାଟିକା ପରିବେଷଣ କରିଥିଲେ। ନମନ ଫାଉଣ୍ଡେସନ୍ର ସଭାପତି ତଥା ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ‘ଜୀବନ ଜିନ୍ଦାବାଦ’ ଥିମ୍ ସଙ୍ଗ ଉନ୍ମୋଚିତ ହୋଇଥିଲା।
ଏହି ଅବସରରେ ଏକ ଶପଥପାଠ ଏବଂ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ସମସ୍ତଙ୍କୁ ଶପଥପାଠ କରାଇଥିବାବେଳ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଭାବବିନିମୟ କାର୍ଯ୍ୟକ୍ରମରେ ପାରା ଆଥଲେଟ୍ କମଳାକାନ୍ତ ନାୟକ ଯୋଗଦେଇ ତାଙ୍କର ସଂଘର୍ଷମୟ ଜୀବନର ସଫଳତମ ସେପାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ, ପୋଲିସ କମିଶନର ଶ୍ରୀ ଏସ.ଦେବଦତ୍ତ ସିଂହ, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଶ୍ରୀ ଦୀପଙ୍କର ମହପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।