-
ସଂଧ୍ୟା ୬ଟା ସୁଦ୍ଧା ୫୪.୬୫% ମତଦାନ
ନୂଆଦିଲ୍ଲୀ – ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି ।
ନିର୍ବାଚନର ଫଳାଫଳ ଆସନ୍ତା ୧୧ ତାରିଖରେ ବାହାରିବା ପୂର୍ବରୁ ଶନିବାର ସଂଧ୍ୟାରେ ଏକଜିଟ ପୋଲ୍ ପ୍ରକାଶ ପାଇଛି । ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବସିବେ ବୋଲି ପୂର୍ବାନୁମାନ ହୋଇଛି । କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍ ୫୧ଟି ଆସନରେ ଜିତିବ ବୋଲି ଆକଳନ ହୋଇଥିବା ବେଳେ ବିଜେପି ୧୮ ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଆକଳନ ହୋଇଛି ।
ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ୭୦ ବିଧାନସଭା ଆସନରୁ ଆପ୍ ୪୪, ବିଜେପି ୨୬+, କଂଗ୍ରେସ ଏବଂ ଅନ୍ୟାନ୍ୟ କୌଣସି ଆସନରେ ଜିତି ପାରିବେ ନାହିଁ ବୋଲି ଆକଳନ କରିଛି ।
ସେହିପରି ଇଣ୍ଡିଆଟୁଡେ ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆପ୍ ୩୨-୩୮, ବିଜେପି ୦୨-୦୮, କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଆକଳନ କରିଛି ।
ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮-୬୧, ବିଜେପି ୯-୨୧, କଂଗ୍ରେସ ୦-୧ ଆସନରେ ଜିତିବ ବୋଲି ଆକଳନ ହୋଇଛି ।
ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଏବଂ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ କୌଣସି ଆସନରେ ଜିତିପାରିବେ ନାହିଁ ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି ।
ଶନିବାର ଦିନ ଦିଲ୍ଲୀରେ ୭୦ ଲୋକସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ଦିଲ୍ଲୀରେ ୫୪.୬୫% ମତଦାନ ହୋଇଛି । ୭୦ ବିଧାନସଭା ଆସନ ପାଇଁ ମୋଟ୍ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା । ଏହା ପୂର୍ବରୁ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ଆପ୍ ଓ କଂଗ୍ରେସ ମିଶି ସରକାର ଗଢ଼ିଥିଲେ । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ କିଛି ଦିନ ପରେ ମେଂଟ ଭାଙ୍ଗିବା ପରେ ୨୦୧୫ରେ ପୁଣି ଥରେ ବିଧାନସଭା ନିର୍ବାଚନ ହୋଇଥିଲା ।