ଜଟଣୀ- ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଡେଲାଙ୍ଗ ଥାନା ଅଧିନ ରେଙ୍ଗଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଥିଲା । ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ଜଣେ ୬୮ ବର୍ଷର ବୃଦ୍ଧଙ୍କୁ ପଚାଂୟତ କାର୍ଯ୍ୟାଳୟ କ୍ୟାମ୍ପସ ଜନଗହଳି ମଧ୍ୟରେ ପଥରରେ ମୁଣ୍ଡକୁ ଛେଚି ନିର୍ମମଭାବେ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ଡେଲାଙ୍ଗଥାନା ଓ ହରିରାଜପୁର ଫାଣ୍ଡିଧିକାରୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିବା ବେଳେ ଗ୍ରାମର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା କୈାଣସି ଏକ ପୂର୍ବଶତ୍ରୁତା କାରଣରୁ ଘଟିଥାଇପାରେ ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।
ଖବରନେବାରେ ଜଣାପଡିଛି ଯେ, ଶୁକ୍ରବାର ରାତିରେ ରେଙ୍ଗଳ ଗ୍ରାମର କବିରାଜ ବେହେରାଙ୍କ ବିବାହ ଭୋଜି ପଚାଂୟତ କାର୍ଯ୍ୟାଳୟ ପରିସରରେ ଚାଲିଥିଲା । ପ୍ରତ୍ୟେକ ବ୍ୟକ୍ତି ଭୋଜି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଗ୍ରାମର କାଶିନାଥ ନାୟକ (୬୮) ମଧ୍ୟ ଯାଇଥିଲେ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଚାଲିବା ପରେ ଅଂଚଳର କିଛି ଯୁବକଙ୍କ ସହିତ କାଶିନାଥଙ୍କ ବଚସା ହୋଇଥିଲା ବୋଲି ଉପସ୍ଥିତ କେତେକ ଯୁବକ ସୂଚନା ଦେଇଥିଲେ । ପରବର୍ତି ଅବସ୍ଥାରେ ରାତ୍ର ୧୨ ଟା ସମୟରେ ଏହି ପଚାଂୟତ କାର୍ଯ୍ୟାଳୟ ପରିସରରେ କାଶିନାଥଙ୍କ ମୃତଦେହ ପଡିଥିବା ଦେଖି ଭୋଜିକୁ ଆସିଥିବା ଲୋକେ ଗ୍ରାମରେ ଆଲୋଚନା କରିଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚିବା ବେଳକୁ କାଶିନାଥଙ୍କ ମୁଣ୍ଡକୁ କେହି ଦୁର୍ବୁତ ମାଙ୍କଡା ପଥରରେ ଛେଚି ହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ହରିରାଜପୁର ଫାଣ୍ଡି ଓ ଡେଲାଙ୍ଗ ଥାନାକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଗ୍ରାମର ଦିପୁ ଲେଙ୍କା, ଜଗୁ ସ୍ୱାଇଁ, ରମେଶ ବାରିକଙ୍କୁ ଡେଲାଙ୍ଗ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ଶନିବାର ମଧ୍ୟାହ୍ନରେ ସାଇଟିଂଫିକ ଟିମ୍ ଘଟଣାସ୍ଥଳରେ ପହଁଚି ଆବଶ୍ୟକ ତଥ୍ୟ ସଂଗ୍ରହ କରି ଫେରିଛନ୍ତି ।
ଏହି ଘଟଣାକୁ ନେଇ ମୃତ କାଶିନାଥଙ୍କ ବିବାହିତ ଝିଅ ଗିତାଞ୍ଜଳି ପଟ୍ଟନାୟକ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଡେଲାଙ୍ଗଥାନାରେ ୨୨/୨୦ରେ ଏକମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ନେଇ ଗ୍ରାମରେ ଚାପା ଉତେଜନା ପ୍ରକାଶ ପାଇଥିବା ବେଳେ ଏକ ବିବାହ ଭୋଜିରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଏତେ ବଡ ଅଘଟଣ ଘଟିଯାଇଥିବା ସତ୍ୱେ କେହି କିପରି ଜାଣିପାରିଲେ ନାହିଁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ପଚାଂୟତ କାର୍ଯ୍ୟାଳୟକୁ ଲାଗି କଲ୍ୟାଣ ମଣ୍ଡପ ରହିଥିବା ବେଳେ ପଚାଂୟତ କାର୍ଯ୍ୟାଳୟ ମଧ୍ୟରେ କିପରି ଓ କାହା ଅନୁମତିରେ ଭୋଜି ଉତ୍ସବର ଆୟୋଜନ ହୋଇଛି ବୋଲି ଏଠାରେ ପ୍ରଶ୍ନ ଉଠିଛି । ସେହିପରି କେତେକ ବ୍ୟକ୍ତି ଏଠାରେ ପ୍ରଚୁର ମଦ୍ୟପାନ କରିଥିବା ବେଳେ ଅଶ୍ଳିଳ ଗାଳିଗୁଲଜ ମଧ୍ୟ କରୁଥିବା ଗ୍ରାମର କେତେକ ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲେ । ଏହା ସହିତ ଉକ୍ତ ଭୋଜି ମଧ୍ୟରେ ଚୈାକି, ଟେବୁଲ ଓ ଅନ୍ୟାନ୍ୟ ଜିନିଷ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।