
ଭୁବନେଶ୍ୱର– ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତହସିଲଦାର କର୍ଲାମୁଣ୍ଡା, ବ୍ଲକ୍ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଉପସ୍ଥିତ ଥିଲେ । ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାର ବଣ୍ଟନ କାମ ସୁରୁଖୁରୁରେ ଚାଲିଛି । ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମାର୍କଫେଡ୍ ଜରିଆରେ ତା. ୦୪.୦୯.୨୦୨୫ରିଖ କର୍ଲାମୁଣ୍ଡା ପ୍ୟାକ୍ସକୁ ୩୦.୪୨ ମେଟ୍ରିକ୍ ଟନ୍, ରିସିଡା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍ ଓ ଜୋରାଡବରା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍, ଏହିପରି ସମୁଦାୟ କର୍ଲାମୁଣ୍ଡା ବ୍ଲକ୍କୁ ୯୧.୬୨ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯାଇଅଛି । ଏଥି ସହ ଉପସ୍ଥିତ ଥିବା ଚାଷୀଙ୍କ ତୁଳନାରେ କର୍ଲାମୁଣ୍ଡା ବ୍ଲକ୍ର ୩ଟି ପ୍ୟାକ୍ସରେ ଯଥେଷ୍ଟ ସାର ଗଚ୍ଛିତ ଅଛି ବୋଲି ଜଣାପଡ଼ିଛି । ସମସ୍ତ ପ୍ୟାକ୍ସକୁ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ତଥା ତାଙ୍କ ଦଳ ପରିଦର୍ଶନ କରି ପରିସ୍ଥିତି ନିରୀକ୍ଷଣ କରିଛନ୍ତି । ଆବଶ୍ୟକ ସ୍ଥଳେ ଆସନ୍ତା ଦୁଇଦିନ ଭିତରେ ଅଧିକ ୟୁରିଆ ସାର ମାର୍କଫେଡ୍ ଜରିଆରେ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ନିରୀକ୍ଷଣରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଯଥେଷ୍ଟ ପରିମାଣର ସାର ମହଜୁଦ ଅଛି । ଆଗାମୀ ଦିନରେ ସରକାରଙ୍କ ତରଫରୁ ଅଧିକ ୟୁରିଆ ସାରର ଯୋଗାଇ ନିମନ୍ତେ ବ୍ୟବସ୍ଥା କରାଯାଉଅଛି । ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ବ୍ଲକ୍ରେ ସାର କଳାବଜାରକୁ ପ୍ରତିରୋଧ କରିବା ନିମନ୍ତେ ବ୍ୟାପକ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି । ଗତକାଲି ଏହି ତିନୋଟି ବ୍ଲକରେ ୩ ଟି ପାକ୍ସ ଓ ୨୦ ଟି ବେସରକାରୀ ସାର ଡିଲରଙ୍କ ଦୋକାନରେ ପ୍ରବର୍ତ୍ତନ କାର୍ଯ୍ୟ କରାଯାଇ ୬ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ କେସିଙ୍ଗା ବ୍ଲକରେ ଗୋଟିଏ ସାର ଡିଲରଙ୍କ ଦୋକାନକୁ ଜବତ କରାଯାଇଛି । ଚାଷୀମାନେ ଶାନ୍ତିଶୃଙ୍ଖଳାର ସହ ୟୁରିଆ ସାରର ବଣ୍ଟନରେ କୃଷି ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି ।