
ଇନ୍ଦୋର/ଭୋପାଲ– ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ଦେବୀ ଅହିଲ୍ୟା ବାଇ ହୋଲ୍କର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ଏୟାର୍ ଇଣ୍ଡିଆର ଦିଲ୍ଲୀ-ଇନ୍ଦୋର ଫ୍ଲାଇଟର ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଛି। ଏହି ଜରୁରୀ ଲ୍ୟାଣ୍ଡିଂ ବିମାନର ଇଞ୍ଜିନ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଯାଇଛି। ବିମାନରେ ମୋଟ 161 ଯାତ୍ରୀ ଥିଲେ । ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ବର୍ତ୍ତମାନ ବିମାନଟି ବିମାନବନ୍ଦରରେ ଅଛି ଏବଂ ଯାନ୍ତ୍ରିକ ଟିମ୍ ମରାମତି କାର୍ଯ୍ୟରେ ଲାଗିଛନ୍ତି।
ବିମାନବନ୍ଦର କାର୍ଯ୍ୟାଳୟ ଅନୁଯାୟୀ, ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ଏହି ଫ୍ଲାଇଟ୍ ସକାଳ 6:40ରେ ଦିଲ୍ଲୀରୁ ଉଡ଼ାଣ ଭରିଥାଏ ଏବଂ ସାଧାରଣତଃ ସକାଳ 8:15ରେ ଇନ୍ଦୋର ପହଞ୍ଚିଥାଏ। କିନ୍ତୁ ଶୁକ୍ରବାର ଦିନ ଏହି ଫ୍ଲାଇଟ୍ ଏହାର ନିର୍ଦ୍ଧାରିତ ସମୟଠାରୁ ଅଳ୍ପ ବିଳମ୍ବରେ, 8:28ରେ ଦିଲ୍ଲୀରୁ ବାହାରିଥିଲା। ବିମାନରେ 161 ଯାତ୍ରୀ ଥିଲେ। ବିମାନଟି ଯେତେବେଳେ ଇନ୍ଦୋର ବିମାନବନ୍ଦରର ଦିଗକୁ ଆସୁଥିଲା, ସେତେବେଳେ ବାମ ଇଞ୍ଜିନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି ଅବସ୍ଥା ବିଷୟରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ। ଏଥିପରେ ଏଟିସିବିମାନବନ୍ଦରରେ ଜରୁରୀକାଳୀନ ଲ୍ୟାଣ୍ଡିଂର ଘୋଷଣା କରି ଆଲର୍ଟ ଜାରି କରିଥିଲା।
ସତର୍କତା ରୂପେ ରନୱେ ଚାରିପାଖରେ ଅଗ୍ନିଶମ ବାହିନୀ, ରେସ୍କ୍ୟୁ ଟିମ୍, ଆମ୍ବୁଲାନ୍ସ ସହିତ ଆବଶ୍ୟକୀୟ ସମସ୍ତ ଟିମ୍ମାନେ ମୁତୟନ ହୋଇଥିଲେ। ପାଇଲଟ୍ ପରିସ୍ଥିତିକୁ ଦକ୍ଷତାର ସହିତ ନେଇ ସକାଳ 9:51 ରେ ବିମାନଟିକୁ ଇନ୍ଦୋର ଦେବୀ ଅହିଲ୍ୟା ବାଇ ହୋଲ୍କର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲେ ।