
ବାରିପଦା– ବାରିପଦା ସହରର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। କିଛି ଦିନର ବ୍ୟବଧାନ ପରେ ବାରିପଦା ସହରରେ ପୁଣି ଛିନତାଇ ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ଗଣେଶ ପୂଜା ପାଇଁ ବାରିପଦା ସହର ଚଳଚଞ୍ଚଳ ହୋଇଥିବା ବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନାହାର ଛିଣ୍ଡାଇ ଚମ୍ପଟ ମାରିଥିଲା ଦୁର୍ବୁତ୍ତ । ଏନେଇ ମହିଳା ଜଣକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାରୁ ଜଣାପଡିଛି, ବାରିପଦା ପୌର ପରିଷଦର ୱାର୍ଡ ନମ୍ବର ୪ ଲାଲ ବଜାର ସ୍ଥିତ ଶ୍ରୀରାମଚନ୍ଦ୍ର ପାଠାଗାର ନିକଟରେ ଦିନ ପ୍ରାୟ ୧୨ଟା ସମୟରେ ମହିଳା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଛିନତାଇ ହୋଇଛି। ୨ ଜଣ ଦୁର୍ବୁତ୍ତ ଏକ ନମ୍ବର ବିହୀନ କଳା ପଲସର ବାଇକରେ ଆସି ମହିଳାଙ୍କ ବେକରୁ ସୁନାଚେନ ଛିନତାଇ କରି ଚମ୍ପଟ ମାରିଥିଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଇଛି । ତେବେ ଏନେଇ ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସି ଟିଭି ସହାୟତାରେ ଯାଞ୍ଚ କରିଥିଲେ। ଖବର ପାଇ ସିଭିଲ ଟିମ ଛାନଭିନ ଆରମ୍ଭ କରିଛନ୍ତି। ତେବେ ବାରିପଦା ସହରରେ ବାରମ୍ବାର ଛିନତାଇ ମାମଲା ହେଉଥିବା ବେଳେ ପୁଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି।