ଭଦ୍ରକ – କେତେ ଦେବାଦେବୀ ପୂଜାକରି ମାନସିକ ରଖି ପୁଅଟିଏ ପାଇବା ପାଇଁ ବାପମାଆ କରିଥିଲେ ତପସ୍ୟା । ଭଗବାନ ବି ଶୁଣିଲେ, ବାପା ମାଆଙ୍କ କୋଳକୁ ପୁତ୍ରଟିଏ ଆସିଲା । ହେଲେ ବାର୍ଦ୍ଧକ୍ୟ ସମୟରେ ବାପା ମାଆଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଖାଇବାକୁ ଦେବା ଓ ସେମାନଙ୍କ ଯତ୍ନ ନେବା ବଦଳରେ ପୁଅଟି ଯୁବକ ଅବସ୍ଥାରେ ଆରପାରିକୁ ଚାଲିଗଲେ । ବାପ-ମାଆ ଜ୍ଞାନ୍ତି କୁଟୁମ୍ବ ଓ ଆତ୍ମୟସ୍ୱଜନଙ୍କ ସମ୍ମୁଖରେ ସେହି ପୁଅର ଚିତା ଜଳିବା କେତେ ଯେ ହୃଦୟ ବିଦାରକ ଘଟଣା ଘଟିଛି ଧାମନଗର ବ୍ଲକ ସୋଧ ଗ୍ରାମରେ । ନିଜର ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଲୋକେ । ସୋଧ ଗ୍ରାମର ନିତ୍ୟାନନ୍ଦ ସାହୁ ଜଣେ ପୁଲିସ କର୍ମଚାରୀ ଭାବେ ଏବେ ଭଦ୍ରକରେ କାର୍ଯ୍ୟ କରୁଛନ୍ତି । ତାଙ୍କର ମାତ୍ର ଗୋଟିଏ ପୁଅ ଓ ଦୁଇ ଝିଅ । ପୁଅ ସୋମେନ୍ଦ୍ର ସାହୁ (୨୪) ବିକମ୍ ପାସ କରିବା ପରେ ନିଜ ସଂପର୍କିୟ ବନ୍ଧୁଙ୍କ ଠିକା ସଂସ୍ଥା ଆଠଗଡ ଅଂଚଳରେ ସୁପରଭାଇଜର ଭାବେ ଗତ ପ୍ରାୟ ୨ ବର୍ଷ ହେଲା କାମ କରି ଆସୁଥିଲେ । ବାପ ନିତ୍ୟାନନ୍ଦଙ୍କ ଆଦର୍ଶରେ ପୁଅ ସୋମେନ୍ଦ୍ର ନିଜକୁ ଗଢିଥିବା ବେଳେ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେବେ ଆନ୍ୟାୟକୁ ବରଦାସ୍ତ କରନ୍ତି ନାହିଁ । ଆଖି ଆଗରେ ଦୁର୍ନିତି ହେଉଥିବାକୁ ବିରୋଧ କରି ଆଜି ସେ ହତ୍ୟାକାଣ୍ଡର ଶିକାର ହେଲା । ଆଠଗଡରେ ଏହି ସୁପରଭାଇଜର କାମ କରୁଥିବା ବେଳେ ତାଙ୍କର ଅନ୍ୟଜଣେ ସୁପରଭାଇଜର ବିଶ୍ୱଜିତ ସାହୁଙ୍କ ସହିତ ମତାନ୍ତର ରହିଥିଲା । ଏପରିକି କିଛି ଦିନ ପୂର୍ବେ ବିଶ୍ୱଜିତ ସଂସ୍ଥାରୁ ୨୫୦ ବସ୍ତା ସିମେଟଂ ବିକ୍ରି କରି ଦେଇଥିଲେ । ଏହା ଜାଣିପାରି ସୋମେନ୍ଦ୍ର ତାହାକୁ ବିରୋଧ କରିବା ସହିତ ସର୍ବ ସମ୍ମୁଖରେ ଏହି କଥା ପ୍ରଘଟ କରିଦେଇଥିଲେ । ଫଳରେ ବିଶ୍ୱଜିତ ପ୍ରତିଶୋଧ ପରାୟଣ ହୋଇ ସୋମେନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତି କରିଥିଲା । ଗତ ୩ ତାରିଖ ବିଳମ୍ବିତ ରାତିରେ ସୋମେନ୍ଦ୍ର ରହୁଥିବା ଭଡା ଘରେ ବିଶ୍ୱଜିତ ପହଂଚି ତାଙ୍କୁ ଲୁହା ରଡ ସହାୟତାରେ ପିଟିପିଟି ହତ୍ୟା କରିଥିଲା । ତା ପର ଦିନ ସୋମେନ୍ଦ୍ରଙ୍କ ଗଳିତ ଶବକୁ ଏକ ଜରି ଅଖାରେ ପୁରାଇ ଏକ ବାଇକରେ ରଖି ସାପୁଆ ନଦୀ କୂଳରେ ମାଟି ଖୋଳି ପୋତି ଦେଇଥିଲା । ଅପରପକ୍ଷେ ସୋମେନ୍ଦ୍ରଙ୍କ ସହିତ ଯୋଗାଯୋଗ କରି ବିଫଳ ହେବାରୁ ପରିବାର ସେଠାରେ ପହଂଚି ନିଜର ପୁତ୍ର ନିଖୋଜ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଆଠଗଡ ପୁଲିସ ସୋମେନ୍ଦ୍ରଙ୍କ ସହଯୋଗୀ ସୁପରଭାଇଜର ବିଶ୍ୱଜିତକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଥିଲା । ହେଲେ ବିଶ୍ୱଜିତ ପୁଲିସକୁ ଚକମା ଦେଖାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ବିଶ୍ୱଜିତ ଉପରେ ପୁଲିସର ସନେ୍ଦହ ଦୃଢୀଭୂତ ହୋଇଥିଲା । ପୁଲିସ ଶୁକ୍ରବାର ସୋମେନ୍ଦ୍ରଙ୍କ ଗଳିତ ଶବ ସାପୁଆ ନଦୀପଠାରୁ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକ ସୋମେନ୍ଦ୍ରଙ୍କ ଶବ ଆଣି ନିଜ ଗ୍ରାମ ସୋଧରେ ଶୋକାକୂଳ ପରିବେଷରେ ଶବ ସକ୍ରାର କରାଯାଇଛି । ଏହି ଶବ ସକ୍ରାର ସମୟରେ ସୋମେନ୍ଦ୍ରଙ୍କ ସାଙ୍ଗସାଥୀ, ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ଶତାଧିକ ଲୋକ ସାମିଲ ଥିଲେ । ନିଜର ଏକମାତ୍ର ଭେଣ୍ଡିଆ ପୁଅକୁ ହରାଇ ବାପା-ମାଆ ବାରମ୍ବର ଚେତାଶୂନ୍ୟ ହୋଇ ପଡୁଥିଲେ । ସୋମେନ୍ଦ୍ରଙ୍କ ହତ୍ୟା ଅଭିଯୁକ୍ତ ବିଶ୍ୱଜିତକୁ ଫାଶିଦଣ୍ଡ ମିଳିଲେ ମୋ ପୁଅ ଆତ୍ମା ଶାନ୍ତି ପାଇବ ବୋଲି ବାପା ନିତ୍ୟାନନ୍ଦ ବୁକୁଫଟା କୋହରେ ପ୍ରକାଶ କରିଛନ୍ତି ।